ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଜାରି ରହିଛି ଆଲୋଚନା: ଦୁଇ ଦେଶର ପ୍ରତିନିଧି ବୈଠକରେ ସାମିଲ

193

କନକ ବ୍ୟୁରୋ: ଗୋଟିଏ ପଟେ ବେଲାରୁଷରେ ୟୁକ୍ରେନ୍ ଓ ରୁଷ ପ୍ରତିନିଧି ଆଲୋଚନା କରୁଥିବା ବେଳେ ନାଟୋର ସହଯୋଗୀ ରାଷ୍ଟ୍ର ୟୁକ୍ରେନ୍କୁ ପଠାଉଛନ୍ତି ଏୟାର ଡିଫେନ୍ସ ମିସାଇଲ୍ ଓ ଟ୍ୟାଙ୍କକୁ ଧ୍ୱଂସ କରି ପାରୁଥିବା ଅସ୍ତ୍ରଶସ୍ତ୍ର ।

ରୁଷିଆ ଚାରିପଟୁ ଆକ୍ରମଣ କରୁଥିବା ବେଳେ ଏହାର ମୁକାବିଲା କରୁଛି ୟୁକ୍ରେନ । ଯେତିକି ସହଜରେ ରାଜଧାନୀ କିଭ୍ ଦଖଲ କରିନେବ ବୋଲି ରୁଷ ସେନା ଆକଳନ କରୁଥିଲେ, ତାହ ସମ୍ଭବ ହେଉନାହିଁ । ଅନେକ ସ୍ଥାନରେ ରୁଷ ସେନାକୁ ଆଗକୁ ବଢ଼ିବାକୁ ଦେଉନାହାନ୍ତି ୟୁକ୍ରେନ୍ ସେନା । ୟୁକ୍ରେନ୍ ଦାବି କରୁଛି, ରାଜଧାନୀ କିଭ୍ରୁ ରୁଷ ସେନାକୁ ହଟାଇ ଦିଆଯାଇଛି । ତେବେ ଅନ୍ୟ ୪ଟି ବଡ଼ ସହରରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ଅନ୍ୟତମ ସହର ଖାରକିଭ୍ ୟୁକ୍ରେନ୍ ସେନା ଅକ୍ତିଆରକୁ ଚାଲିଆସିଛି । ଯୁଦ୍ଧରେ ୩,୫୦୦ ରୁଷ ସୈନ୍ୟ ମୃତ୍ୟୁବରଣ କରିଥିବା ଦାବି କରିଛି ୟୁକ୍ରେନ୍ । କିନ୍ତୁ ମିଳିତ ଜାତିସଂଘରେ ରୁଷ ଏହାକୁ ଖଣ୍ଡନ କରିଛି । ଜୀବନ ବଂଚାଇ ଚାଲିଯିବାକୁ ରୁଷ ସେନାକୁ କହିଛନ୍ତି ରାଷ୍ଟ୍ରପତି ଜେଲେନ୍ସ୍କି ।

ୟୁକ୍ରେନର ଦାବି
ରାଜଧାନୀ କିଭ୍ରୁ ରୁଷ ସେନାକୁ ହଟାଇ ଦିଆଯାଇଛି
ଯୁଦ୍ଧରେ ୩,୫୦୦ ରୁଷ ସୈନ୍ୟ ମୃତ୍ୟୁବରଣ କରିଛନ୍ତି
ଅନ୍ୟତମ ସହର ଖାରକିଭ୍ ୟୁକ୍ରେନ୍ ସେନା ଅକ୍ତିଆରକୁ ଚାଲିଆସିଛି ।
ଜୀବନ ବଂଚାଇ ଚାଲିଯିବାକୁ ରୁଷ ସେନାକୁ ଜେଲେନ୍ସ୍କିଙ୍କ ଆହ୍ୱାନ

କୁହାଯାଉଛି, ନାଟୋ ଓ ୟୁରୋପୀୟ ସଂଘ ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବାରୁ ଯୁଦ୍ଧ ଭୀଷଣ ରୂପ ଧାରଣ କରିଛି । ସେପଟେ ଜାତିସଂଘ ପକ୍ଷରୁ କୁହାଯାଇଛି, ୟୁକ୍ରେନ୍ରୁ ପ୍ରାୟ ୫ ଲକ୍ଷ ଲୋକ ଶରଣାର୍ଥୀ ଭାବେ ୟୁରୋପକୁ ପ୍ରବେଶ କରିଛନ୍ତି । ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ –

ଯୁଦ୍ଧର ପଞ୍ଚମ ଦିନ
ରୁଷିଆ ସେନାକୁ ୟୁକ୍ରେନବାସୀଙ୍କ ପ୍ରବଳ ବିରୋଧ
ୟୁକ୍ରେନ-ରୁଷ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା
ୟୁରୋପୀୟ ସଂଘର କଟକଣା ପରେ ରୁଷର ବିମାନ ଚଳାଚଳ ବାଧାପ୍ରାପ୍ତ
ନିଜ ଦେଶର ନିବେଶକଙ୍କୁ ଅଟକାଇବା ପାଇଁ ସୁଧ ହାରକୁ ୨୦ ପ୍ରତିଶତକୁ ବୃଦ୍ଧି କଲା ରୁଷିଆ