କନକ ବ୍ୟୁରୋ : ବୁଲା ବୁଲି ପାଇଁ କୋରାପୁଟ ଜ଼ିଲ୍ଲାରେ ରହିଛି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । କିଟିଏ ଅବସର ମିଳିଲେ ବଣ ପାହାଡ଼ ଘେରା ସୌଧର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଧାଇଁ ଆସନ୍ତି । ଜ଼ିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି, ଯାହା ଆଜିବି ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ରହି ଯାଉଛି । ସେମିତି ଏକ ସ୍ଥାନ ହେଉଛି ଦଶମନ୍ତପୁର ବ୍ଲକ ପୋଡଡ଼ାଗଡ ଠାରେ ରହିଥିବା ପୁଞ୍ଜିସିଲ ଜଳପ୍ରପାତ ।
କୋରାପୁଟ ସଦର ମହକୁମା ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ରହିଛି ପୁଞ୍ଜିସିଲ ଜଳପ୍ରପାତ । କାରାପୁଟ ରାୟଗଡ଼ା ଜାତୀୟ ରାଜପଥ ପୋଡ଼ଗଡ଼ ଠାରୁ ମାତ୍ର ୪ କିଲୋମିଟର । ଦୂରରେ ରହିଛି ପ୍ରାକୃତିକ ସୌଧର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନ ସ୍ଥଳ ।ହେଲେ ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ଥରେ ଆସିଲେ ଦ୍ୱିତୀୟ ଥର ଆସିବା ପାଇଁ ଇଚ୍ଛା କରୁନାହାନ୍ତି ।
ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଜ଼ିଲ୍ଲା ଖଣିଜ ପାଣ୍ଠିରୁ କୋଡ଼ିଏ ଲକ୍ଷ ଟଙ୍କାରେ ଶୌଚାଳୟ ଓ ବିଶ୍ରାମ ଗୃହ ନିର୍ମାଣ କରାଯାଇଛି । କିନ୍ତୁ ଜଳ ଯୋଗାଣ ହୋଇନଥିବାରୁ ପାଣି ଟ୍ୟାବ ଭାଙ୍ଗି ଗଲାଣି, ଶୌଚାଳୟ ଏବେ ଜଙ୍ଗଲରେ ପରିଣତ ହେବାକୁ ବସିଲାଣି । ପିଇବାକୁ ପାଣି ନାହିଁ, ବିଦ୍ୟୁତ୍ ଖୁଂଟ ପୋତା ଯାଇଛି, ହେଲେ ବିଜୁଳି ସଂଯୋଗ ହୋଇନାହିଁ । ତେଣୁ କୁଳୁକୁଳୁ ନାଦ କରି ବହି ଯାଉଥିବା ଏହି ଝରଣାକୁ ଦେଖିବା ପାଇଁ ପର୍ଯ୍ୟଟକ ଆସିବାକୁ ଅମଙ୍ଗ ହେଉଥିବା କ୍ଷୋଭର ସହ କହିଛନ୍ତି ।
ଯଦି ପର୍ଯ୍ୟଟକଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯିବ, ସମସ୍ତ ବ୍ୟବସ୍ଥା କରାଯିବ, ତେବେ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ମାନ ଚିତ୍ରରେ ନିଶ୍ଚିତ ରୂପେ ନୂଆ ତଥା ବିଶେଷ ସ୍ଥାନ ଅଧିକାର କରିବ ପୁଞ୍ଜିସିଲ ଜଳ ପ୍ରପାତ ।