କନକ ବ୍ୟୁରୋ : ଅସୁରକ୍ଷତ ଅବସ୍ଥାରେ ରହିଛି ବହୁ ପୁରୁଣା ଶୈବପୀଠ । ରକ୍ଷଣା ବେକ୍ଷଣାର ଅଭାବରୁ ଭାଙ୍ଗିରୁଜି ପଡିଲାଣି ଅନେକ ଶୈବପୀଠ ଗୁଡିକ । ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ବୈଦ୍ୟନାଥ ଠାରେ ଥିବା କୋଶଳେଶ୍ୱର ଶୈବ ପୀଠ ହେଉଛି ଅନ୍ୟତମ । ବୈଦ୍ୟନାଥ ଗାଁର ତେଲ ନଦୀ କୂଳରେ ତିଆରି ହୋଇଥିଲା ଦୁଇଟି ମନ୍ଦିର ମହାକାଳେଶ୍ୱର ଓ କୋଶଳେଶ୍ୱର । ମଧ୍ୟଯୁଗୀୟ କଳା କାରୁକାର୍ୟ୍ୟ .ଖୋଦିତ ହୋଇଛି ଏହି ମନ୍ଦିରରେ । ସୋମବଂଶୀ ଦ୍ବାରା ଏହି ମହାଦେବଙ୍କ ମନ୍ଦିର କରାଯାଇଥିବା ବେଳେ ଓଡିଶାର ସର୍ବ ପୁରାତନ ମନ୍ଦିର ଭାବେ ଜଣାଯାଏ । ମନ୍ଦିରରେ ଥିବା ଆକର୍ଷଣିୟ ଯୁଗଳମୂର୍ତି, ଦର୍ପଣୀ, ଅନନ୍ତଶୟନ, ଶିବପାର୍ବତୀ, ଗଣେଷ ମୁର୍ତ୍ତି ଏହି ମନ୍ଦିରରେ ଖୋଦେଇ ହୋଇଛି । ପ୍ରାଚୀନ ସମୟରୁ ରହିଥିବା ମନ୍ଦିର ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବା ବେଳେ ଧୀରେ ଧୀରେ ଅସୁରକ୍ଷିତ ହୋଇପଡିଲାଣି ।
ତେଲନଦୀ କୂଳରେ ଥିବା କୋଶଳେଶ୍ୱର ମନ୍ଦିରର ସୁରକ୍ଷା ଅଭାବରୁ ନଷ୍ଟ ହୋଇଯିବାକୁ ବସିଥିବା ବେଳେ ମହାକାଳେଶ୍ୱର ମନ୍ଦିରଟି ବିଲିନ ହୋଇଗଲାଣି ତେଲନଦୀ ଗର୍ଭରେ । ସେଠାରେ ଥିବା ଦୁର୍ଲଭ ପ୍ରସ୍ତର ମୂର୍ତି ସବୁ ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ଏବେ ଖୋଲାଆକାଶ ତଳେ ପୂଜାପାଉଛନ୍ତି ମହାକାଳେଶ୍ୱର । ବର୍ଷସାରା ଏଠାରେ ପର୍ୟ୍ୟଟକ ଭିଡ଼ ଲାଗିଛି । ତେଣୁ ଏହାର ବିକାଶ ସାଙ୍ଗକୁ ରକ୍ଷଣା ବେକ୍ଷଣ ପାଇଁ ଦାବୀ ହୋଇଛି ।
ପ୍ରାଚୀନ କିର୍ତୀରାଜିରେ ପରିପୁର୍ଣ୍ଣ ଥିବା ମନ୍ଦିର ଦ୍ୱୟ ନଷ୍ଟ ହେବାକୁ ବସିଥିବା ବେଳେ ଖୁବଶୀଘ୍ର ଏହାର ପୁନରୁଦ୍ଧାର ପାଇଁ ଗୁରୁତ୍ବ ଦିଆଯିବା ଜରୁରୀ ହୋଇଛି ।