କନକ ବ୍ୟୁରୋ : ମରଣଯନ୍ତା ପାଲଟିଛି ମୁକୁଳା ଖାଦାନ । ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ । ଖାଲି ସେତିକି ନୁହେଁ ସେହି ସ୍ଥାନରେ ଗଲାଣି ୧୦ରୁ ଅଧିକ ମୁଣ୍ଡ । କେବଳ ମଣିଷ ନୁହେଁ ଅନେକ ପଶୁଜନ୍ତୁଙ୍କ ମୃତ୍ୟୁ ହୋଇସାରିଲାଣି । ନୀଳଗିରିରେ ମୃତ୍ୟୁର ଉପତାକା ପାଲଟିଛି ଏହି ମୁକୁଳା ଖାଦାନ । ମଛୁଆ ପଂଚାୟତରୁ ନେଇ ଧୋବଶିଳା ପଂଚାୟତରେ ଥିବା ଖାଦାନ ପଥର ମାଫିଆଙ୍କ ଭୂୁସ୍ୱର୍ଗ ପାଲଟିଛି । ବେଆଇନ ଭାବେ ପଥର ଖୋଳା ହୋଇ ବ୍ୟବସାୟୀ ମାଲାମାଲ ହେଲେ । ଟ୍ରିପ୍ ଟ୍ରିପ୍ ପଥର ଖୋଳାଯାଇ ବାହରକୁ ଚାଲାଣ କରିଲେ । ଖାଦାନ ଖୋଳି ପଥର ଲୁଟିନେଲେ । ହେଲେ ଏବେ ମୁକୁଳା ହୋଇପଡିରହିଛି ଖାଦାନ । କିଛି ଜଣଙ୍କ ମୃତ୍ୟୁ ହୋଇସାରିଲାଣି ଏଥିରେ ପଡି । ତା ସହ ଏହି ପରିତ୍ୟକ୍ତ ଅଂଚଳ ମଧ୍ୟ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି । ହତ୍ୟାକାଣ୍ଡରୁ ନେଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଏହି ଅଂଚଳରେ ବଢି ବଢିଚାଲିଥିବାରୁ ଅସନ୍ତୋଷ ବଢୁଛି ।

ମଣିଷ ସହ ଜୀବଜନ୍ତୁଙ୍କର ମଧ୍ୟ ମୃତ୍ୟୁ ହେୁଛି ଏହି ଖାଦାନରେ । ପଥର ମାଫିଆ ମାନେ ୨ଶହରୁ ୩ଶହ ଫୁଟ ଗାତ କରିଦେଇଥିବା ବେଳେ ଏହା ବିପଦଜନକ ପାଲଟିଛି । ସବୁଠୁ ବଡ଼ କଥା ହେଲା ଖାଦାନ ନିକଟରେ ରହୁଥିବା ଲୋକମାନେ ଏନେଇ ବେଶୀ ଆତଙ୍କିତ ହୋଇପଡିଛନ୍ତି । ଲୋକମାନେ ଅସୁରକ୍ଷିତ ହୋଇପଡିଥିବା ବେଳେ ବହୁବାର ଅଭିଯୋଗ କରିଥିଲେ ବି ଏନେଇ ସଜାଗ ହୋଇପାରୁନି ପ୍ରଶାସନ ।

ଅସୁରକ୍ଷିତ ହୋଇପଡିଥିବା ଏହି ପଥର ଖାଦାନ ଉପରେ ରୋକ୍ ଲଗାଯାଇ ଲୋକଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡିଛି ।