କନକ ବ୍ୟୁରୋ: ନେତା ଆସୁଛନ୍ତି ଯାଉଛନ୍ତି, ନିର୍ବାଚିତ ହେଉଛନ୍ତି ନାଁ କରୁଛନ୍ତି । କିନ୍ତୁ ଏବେ ବି ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ନା ପଡ଼ିଛି ବିକାଶର ପାଦ । ନା ମିଳିଛି ମୌଳିକ ସୁବିଧା । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଗ୍ରାମବାସୀ । ନା ଅଛି ରାସ୍ତା ନା ଅଛି ପିଇବା ପାଣିର ବ୍ୟବସ୍ତା । ଅଙ୍ଗନବାଡି ଓ ସ୍କୁଲ ଏଠି ଅପହଞ୍ଚ । ସ୍ୱାସ୍ଥ୍ୟସେବା କଥା ନକହିବା ଭଲ । ନିଜର ଜୀବନ-ଜୀବିକା ପାଇଁ ପଡୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା କି ଏଯାଏଁ ଏହି ଗାଁରେ କୌଣସି ନେତା ବା ଅଧିକାରୀଙ୍କ ପାଦ ପଡିନାହିଁ ।
ଆନ୍ଧ୍ର-ଓଡିଶା ସୀମାନ୍ତ ରାୟଗଡା ବ୍ଳକ ହାଟଶେଷଖାଲ ପଞ୍ଚାୟତ ଅନ୍ତର୍ଗତ କେରାଣ୍ଡି ଗାଁ । ପାହାଡର ପାଦ ଦେଶରେ ଏହି ଗାଁ ଅବସ୍ଥିତ । ପାଖରେ ବୋହି ଯାଉଛି ନାଗାବଳୀ ନଦୀ । ଏହି ଗାଁରେ ସମୁଦାୟ ୩୨ ଟି ଘର ରହିଥିବା ବେଳେ ଜନ ସଂଖ୍ୟା ୧୮୦ରୁ ଅଧିକ । ସମସ୍ତେ ଆଦିବାସୀ ସଂପ୍ରଦାୟର । ଏମାନଙ୍କ ମୂଖ୍ୟ ଜିବିକା ହଉଛି ଜଙ୍ଗଲ ଯାତ ଦ୍ରବ୍ୟକୁ ସଂଗ୍ରହ କରି ପଡୋଶୀ ଆନ୍ଧ୍ରକୁ ଯାଇ ସେସବୁକୁ ବିକ୍ରିକରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କାହିଁ କେତେ କାଳରୁ ଏମାନେ ଏଠାରେ ରହି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଶୁଭ ଦୃଷ୍ଟି ନପଡିବା ଅତ୍ୟନ୍ତ ଦୂର୍ଭାଗ୍ୟ ଜନକ ।
ଏହି କେରାଣ୍ଡି ଗାଁରେ ସ୍କୁଲ କି ଅଙ୍ଗନବାଡି ଟିଏ ନାହିଁ । ଯାହାରି ଫଳରେ ଛାତ୍ରଛାତ୍ରୀ ମାନେ ନାଗାବଳୀ ନଦୀ ପାର ହୋଇ ଦୀର୍ଘ ୬ କିମି ଚାଲି ଚାଲି ହାଟଶେଷଖାଲରେ ଥିବା ସ୍କୁଲକୁ ଯାଇଥାନ୍ତି । ଅଙ୍ଗନବାଡି ନଥିବାରୁ ଛୋଟ ଛୋଟ ପିଲା ଘରେହିଁ ରହିଥାନ୍ତି । ପୁଷ୍ଟିକର ଖାଦ୍ୟ ଏମାନଙ୍କୁ ମିଳିପାରେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ରାସ୍ତା ନଥିବାରୁ ରୋଗୀ ଓ ପ୍ରସୂତି ମହିଳାଙ୍କୁ ଖଟିଆ ସାହାଯ୍ୟରେ ବୋହି ବୋହି ଦୀର୍ଘ ୧୦ କିମି ବାଟ ଅତିକ୍ରମ କରି ଜେମାଦେଇପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି ।
ଅନ୍ୟପଟେ ଏହି ଗାଁକୁ ଭଲ ରାସ୍ତା ନଥିବାରୁ ଏଯାଏଁ ଆମ୍ବୁଲାନ୍ସ ଏମାନଙ୍କ ପାଇଁ ସ୍ୱପ୍ନ । ଏହି ରାସ୍ତାରେ ଚାଲିକି ଯିବା କଷ୍ଟ ହୋଇଥିବା ବେଳେ ଆମ୍ବୁଲାନ୍ସ କଥା ପଚାରେ କିଏ । ପିଡିଏସ୍ ଚାଉଳ ଓ ଭତା ପାଇଁ ବୁଢାବୁଢୀ ଓ ଦିବ୍ୟାଙ୍ଗ ମାନେ ୬ କିମି ଚାଲି ଚାଲି ଶେଷଖାଲ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ଏହି ଗାଁର ମୂଖ୍ୟ ସମସ୍ୟା ହେଉଛି ପିଇବା ପାଣି । ପାହାଡରୁ ଝରୁଥିବା ପାଣିକୁ ଗ୍ରାମବାସୀ ମାନେ ଏକ ନଳା ସାହାଯ୍ୟରେ ଆଣି ଗାଁ ମୁଣ୍ଡରେ ଏକ କୁଣ୍ଡ କରି ସେଥିରେ ପାଣିକୁ ଗଛିତ ରଖି ବ୍ୟବହାର କରିଥାନ୍ତି । ଏହି ସମସ୍ୟାକୁ ନେଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ପଚାରିବାରୁ ସେ କହିଥିଲେ ଯେ ପ୍ରଶାସନର ଅବହେଳା, ମୁଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଯଥାଶୀଘ୍ର ସେ ସବୁ ସମସ୍ୟାର ସମାଧାନ କରିବି । କିନ୍ତୁ ଭୋଟ୍ ପରେ ନେତା ତାଙ୍କ ପ୍ରତିଶ୍ରୁତି ପୁଣିଥରେ ଭୁଲି ଯିବେନି ତ?