ଅବହେଳିତ ବାଲେଶ୍ୱରର ଡଗରା ବିଚ୍: କେବଳ ଘୋଷଣାରେ ସୀମିତ ବିକାଶମୂଳକ କାମ

88

କନକ ବ୍ୟୁରୋ: ଘୋଷଣାରେ ଅଟଳିଛି ଉତ୍ତର ବାଲେଶ୍ୱରର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଡଗରା ବେଳାଭୁମୀର ବିକାଶ । ବିକାଶ ହୋଇ ପାରୁ ନଥିବାରୁ ଡଗରାର ସୌନ୍ଦର୍ଯ୍ୟ ଉପରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ । ଆସିଲାଣି ପର୍ଯ୍ୟଟନ ଋତୁ । ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପର୍ଯ୍ୟଟନ ସ୍ଥଳି । ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ଉତ୍ତର ବାଲେଶ୍ୱରର ଡଗରା ବେଳାଭୁମି ଅବହେଳିତ ଅବସ୍ଥାରେ ପଡି ରହିଛି । ତେଣୁ ପର୍ଯ୍ୟଟକମାନେ ଏଠାରୁ ମୁହଁ ଫେରାଇ ନେଉଛନ୍ତି ।

ବାଲଶ୍ୱେର ଜିଲ୍ଲା ବାଲିଆପାଳ ବ୍ଲକରେ ରହିଛି ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଡଗରା ବେଳାଭୂମି । ଏହାର ବେଳାଭୂମୀର ସୁ ବିସ୍ତିର୍ଣ୍ଣ ବାଲୁକା ସର୍ଯ୍ୟା ସାଙ୍ଗକୁ ଜାଉଁ ଜଙ୍ଗଲର ସୁଁ ସୁଁ ଶବ୍ଦ ଓ ନାଲି କଙ୍କଡାର ଲୁଚକାଳି ଖେଳ ପର୍ଯ୍ୟଟକଙ୍କୁ ବେଶ ଅକର୍ଷିତ କରେ । ତେଣୁ ବର୍ଷ ତମାମ୍ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଛତିଶଗଡରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ଏବେ ଅବହେଳିତ ହୋଇପଡିଛି ଏହି ପର୍ଯ୍ୟଟନ ସ୍ଥଳି । ବେଳାଭୂମୀ ଝାଉଁବଣରେ ପଡି ରହିଛି କୁଢକୁଢ ଅଳିଆ । ରାସ୍ତାର ଅବସ୍ଥା କହିଲେ ନସରେ । ଏହାର ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଉନ୍ନତିକରଣ ହୋଇ ପାରୁନାହିଁ ।

ବାଲିଆପାଳ ସଦର ମହକୁମା ଠାରୁ ୧୨ କିଲୋମିଟର ଦୂରରେ ରହିଛି ଡଗରା ବେଳାଭୁମୀ । ୨୦୧୪ରୁ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି । ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଆସି ୧ କୋଟି ୬୬ ଲକ୍ଷ ଟଙ୍କାରେ ଟୁରିଷ୍ଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହାସହ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ପାର୍କ, ସାମୁଦ୍ରିକ ମାଛ ଆକ୍ୱାରିୟମ, ପାନ୍ଥ ନିବାସ, ଉଜ୍ୱଳ ଆଲୋକ ଓ ଗମନାଗମନ ବ୍ୟବସ୍ଥା ପାଇଁ ଯୋଜନା କରିଥିଲେ । ହେଲେ ଏସବୁ କେବଳ କାଗଜ କଲମରେ ସୀମିତ ରହିଛି । ଫଳରେ ବାଲେଶ୍ୱର ଗୁମୁଟି ଛକଠାରୁ ଡଗରା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣଯନ୍ତା ପାଲଟିଛି । ବେଳାଭୂମିରେ ଲାଗିଥିବା ଲାଇଟ୍ ଜଳୁନାହିଁ, ଖାଲି ଖୁଂଟ ଛିଡା ହୋଇଛି । ପର୍ଯ୍ୟଟକଙ୍କ ରହଣୀ ପାଇଁ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ଡାକବଙ୍ଗଳା ଏଯାଏଁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର ହୋଇନାହିଁ, ତେଣୁ ରହିବା ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକ ଫେରି ଯାଉଛନ୍ତି ।