କନକ ବ୍ୟୁରୋ: କିଶୋରୀଙ୍କ ସ୍ୱାସ୍ଥ୍ୟଗତ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ରାଜ୍ୟ ସରକାର କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଖୁସି ଯୋଜନାକୁ ହାତକୁ ନେଇଛନ୍ତି । ଏହି ଯୋଜନାରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ କିଶୋରୀମାନଙ୍କ ପାଇଁ ମାସିକ ଋତୁଶ୍ରାବ ଜନିତ ସ୍ୱଚ୍ଛତା ପାଇଁ ମାଗଣାରେ ସାନିଟାରୀ ପ୍ୟାଡ୍ ବଂଟନ କରାଯାଉଛି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି ।

Advertisment

ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାରେ ବି ଖୁସୀ ଯୋଜନାରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ କିଶୋରୀମାନଙ୍କ ପାଇଁ ସାନିଟାରୀ ପ୍ୟାଡ୍ ବଂଟନ କରାଯାଉଛି । କିନ୍ତୁ ଏହି ଜିଲ୍ଲାରେ କିଶୋରୀମାନଙ୍କ ନିକଟରେ ଠିକ୍ ସମୟରେ ପ୍ୟାଡ୍ ପହଂଚିପାରୁନଥିବା ଅଭିଯୋଗ ହୋଇଛି । ଯାହାଫଳରେ ଛାତ୍ରୀମାନେ ଏହି ଯୋଜନାରେ ଯେମିତି ସୁବିଧା ପାଇବା କଥା ତାହା ପାଇପାରୁନାହାଁନ୍ତି ବୋଲି କହିଛନ୍ତି ।

ଠିକ୍ ସମୟରେ ପ୍ୟାଡ୍ ପହଂଚିପାରୁନଥିବାରୁ ଗଞ୍ଜାମ ଜିଲ୍ଲାର ପ୍ରାୟ ୯୩ ହଜାର ୫୨୯ କିଶୋରୀଙ୍କୁ ଅଜଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଆବଶ୍ୟକ ଅନୁସାରେ ପ୍ରତି ତିନି ମାସରେ ଥରେ ଖୁସି ପ୍ୟାଡ୍ ପ୍ୟାକେଟ୍ ବଂଟନର ନିୟମ ରହିଥିଲେ ତାହା ଠିକ ସମୟରେ ଦିଆଯାଇପାରୁ ନାହିଁ । ଅନ୍ୟପକ୍ଷେ ବ୍ୟବହାର ପ୍ୟାଡ୍କୁ ନଷ୍ଟ କରିବା ପାଇଁ ସ୍କୁଲରେ ଇନସିନେରେଟର ମେସିନ ସ୍ଥାପନ କରିବାର ପ୍ରସ୍ତାବ ରହିଥିଲେ ମଧ୍ୟ ତାହା କାଯ୍ୟକାରୀ ହୋଇପାରିନାହିଁ ।

୨୦୧୧ରେ କେନ୍ଦ୍ର ସରକାର ଋତୁଶ୍ରାବ ସ୍ୱଚ୍ଛତା ଯୋଜନା ଆରମ୍ଭ କରିଥିବା ବେଳେ ୨୦୧୮ରେ ରାଜ୍ୟ ସରକାର କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ‘ଖୁସି’ ଆରମ୍ଭ କରିଥିଲେ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରରେ ରହୁଥିବା ଝିଅମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ବଂଟନ କରିବା ଏହି ଯୋଜନାର ମୁଳଲକ୍ଷ୍ୟ । ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କାର୍ଯ୍ୟରେ ଅବହେଳା ଯୋଗୁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ ।