ସାରା ବିଶ୍ୱରେ ମଳିନ ପଡୁଛି ଚୀନର ଚେହେରା: ଚୀନର ଚରିତ୍ରକୁ ନେଇ ବିକଶିତ ଦେଶ ଗୁଡ଼ିକରେ ନକରାତ୍ମକ ପ୍ରତିକ୍ରିୟା; ୧୪ଟି ଦେଶରେ କରାଯାଇଥିବା ସର୍ଭେରେ ଚୀନକୁ ନେଇ ଲୋକ ଅସନ୍ତୁଷ୍ଟ

267

କନକ ବ୍ୟୁରୋ: ସାରା ବିଶ୍ୱରେ ମଳିନ ପଡୁଛି ଚୀନର ଚେହେରା । ଏକଥା ଆମେ କହୁନାହୁଁ, ୧୪ଟି ଦେଶରେ କରାଯାଇଥିବା ସର୍ଭେରୁ ଆସିଛି କିଛି ଏଭଳି ତଥ୍ୟ । ଚୀନର ଚରିତ୍ରକୁ ନେଇ ବିକଶିତ ଦେଶ ଗୁଡ଼ିକରେ ନକରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ୧୪ଟି ଦେଶରେ କରାଯାଇଥିବା ସର୍ଭେରେ ଚୀନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକ । ପଡୋଶୀ ଦେଶ ସହ ସମ୍ପର୍କ, କରୋନା ଭୂତାଣୁ ନେଇ ତଥ୍ୟ ଲୁଚାଇବା ଏବଂ ବାଣିଜ୍ୟରେ ଏକଚାଟିଆ ରାଜୁତି ପାଇଁ ଚୀନ କରୁଥିବା ଷଡଯନ୍ତ୍ରକୁ ନେଇ ଲୋକ ନକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି । ବିଶେଷ କରି ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶରେ ଚୀନ୍କୁ ନେଇ ଲୋକଙ୍କ ଧାରଣା ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି ।

ପିଉ ରିସର୍ଚ ସେଂଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଅଷ୍ଟ୍ରେଲିଆରେ ୮୧% ଲୋକ ଚୀନ ବିରୁଦ୍ଧରେ ମତ ରଖିଛନ୍ତି । ଗତବର୍ଷ ତୁଳନାରେ ଏହା ୨୪ ପ୍ରତିଶତରୁ ଅଧିକ ବଢ଼ିଛି । କରୋନା ଭୁତାଣୁର ଉତ୍ପତିକୁ ନେଇ ବିଶ୍ୱସ୍ତରରେ ତଦନ୍ତର ଦାବି କରିଥିଲା ଅଷ୍ଟ୍ରେଲିଆ । ସେହିପରି ବ୍ରିଟେନ୍ର ୭୪ ପ୍ରତିଶତ ଲୋକ ଚୀନର ଭୂମିକାକୁ ନେଇ ସନ୍ଦେହ କରିଛନ୍ତି । ଗତବର୍ଷ ତୁଳନାରେ ଏହା ୧୯ ପ୍ରତିଶତ ବଢ଼ିଛି । ଜର୍ମାନୀରେ ଚୀନ ପ୍ରତି ଥିବା ନକରାତ୍ମକ ଧାରଣା ୧୫ ପ୍ରତିଶତ ବଢ଼ି ୭୩ ପ୍ରତିଶତରେ ପହଂଚିଛି ।

ସେହିପରି ଆମେରିକାରେ ଏହା ୧୩ ପ୍ରତିଶତ ବଢ଼ିଛି । ବିଶ୍ୱର ୧୪ଟି ଦେଶକୁ ନେଇ କରାଯାଇଥିଲା ଏହି ସର୍ଭେ । ଆମେରିକା, କାନାଡ଼ା, ବେଲଜିୟମ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡ, ସ୍ପେନ୍, ସ୍ୱିଡେନ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଜାପାନ ଓ ସାଉଥ କୋରିଆରେ ଏହି ସର୍ଭେ କରାଯାଇଥିଲା । ଜୁନ ୧୦ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ୧୪ଟି ଦେଶର ୧୪ ହଜାର ୨୭୬ ଜଣ ଲୋକଙ୍କୁ ନେଇ କରାଯାଇଥିଲା ଏହି ସର୍ଭେ ।