୨୫ ଶହ ଟଙ୍କା ଦେଲେ ପଜିଟିଭ୍ ଆକ୍ରାନ୍ତଙ୍କୁ ମିଳୁଛି ନେଗେଟିଭ ରିପୋର୍ଟ ! ସଂକଟ ଭିତରେ ବି ଚାଲିଛି କଳା କାରବାର: ଖବର ପ୍ରଘଟ ପରେ ନର୍ସିଂହୋମ୍ ସିଲ୍, ରଦ୍ଦ ହେଲା ଲାଇସେନ୍ସ

8,017

କନକ ବ୍ୟୁରୋ: ଯଦି ଆପଣ କରୋନା ମହାମାରୀରୁ ତୁରନ୍ତ ପିଛା ଛଡାଇବାକୁ ଚାହୁଁଛନ୍ତି ତେବେ ଏ ହାତରେ ୨୫ ଶହ ଟଙ୍କା ଦିଅନ୍ତୁ ଆଉ ଆର ହାତରେ ନେଇଯାଆନ୍ତୁ ନେଗେଟିଭ ରିପୋର୍ଟ । କଥାଟା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ହେଲେ ଏହା ନିରାଟ୍ ସତ୍ୟ । ମାତ୍ର ୨୫ ଶହ ଟଙ୍କା ଦେଲେ ମିଳୁଛି କୋଭିଡ୍ ୧୯ ମହାମାରୀର ନେଗେଟିଭ ରିପୋର୍ଟ ।  ମେରଠର ଏକ ନର୍ସିଂ ହୋମରେ ଚାଲିଥିବା ଏଭଳି କାରନାମା ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଦେଶରେ କରୋନା ଭାଇରସ ସଂକଟ କାଳରେ ବି ନିଜ ମନ୍ଦ ପ୍ରବୃତିରୁ ଦୂରେଇ ଯାଇ ନାହାନ୍ତି କେତେକ ଅସାମାଜିକ ବ୍ୟକ୍ତି । ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ନିଆଁ ଭଳି ବ୍ୟାପିଯାଇଥିଲା ଆଉ ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ଲୋକ କୋଭିଡ-୧୯ ଭୁତାଣୁର ନେଗେଟିଭ ରିପୋର୍ଟ ଦେବାକୁ କହୁଛନ୍ତି ଆଉ ଏଥିପାଇଁ ସେ ୨୫ ଶହ ଟଙ୍କା ଦେବାକୁ ଦାବି କରିଛନ୍ତି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟି ଉତରପ୍ରଦେଶର ମେରଠ ସହରରେ ଥିବା ଏକ ନର୍ସିଂହୋମର ବୋଲି ଜଣାପଡିଛି । ମାତ୍ର ୨୫ ଶହ ଟଙ୍କା ଦେଇ କୌଣସି ବି ବ୍ୟକ୍ତି କୋଭିଡ-୧୯ର ନେଗେଟିଭ କରୋନା ଟେଷ୍ଟ ରିପୋର୍ଟ ନେଇପାରିବେ । ଭିଡିଓ ଭାଇରାଲ୍ ହେବା ପରେ ସଂପୃକ୍ତ ଘରୋଇ ମେଡିକାଲକୁ ସିଲ୍ କରାଯିବା ସହ ତାର ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଇଛି ।