ମେଡିକାଲ ପ୍ରବେଶିକା ଏନଇଇଟି ପାଇଁ ଆଜିଠାରୁ ଅନଲାଇନ ଆବେଦନ : ଅପରାହ୍ଣ ୫ଟାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

122

କନକ ବ୍ୟୁରୋ : ମେଡିକାଲ ପ୍ରବେଶିକା ଏନଇଇଟି ପାଇଁ ଆଜିଠାରୁ ଅନଲାଇନ ଆବେଦନ । ଅପରାହ୍ଣ ୫ଟାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଏନ୍‌ଟିଏ ୱେବସାଇଟ୍ ଜରିଆରେ ଆବେଦନ କରିହେବ । ସେପ୍ଟେମ୍ବର ୧୨ ତାରିଖରେ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା । ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ନିଟ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି । ଅଫଲାଇନ ବା ପରୀକ୍ଷା ହଲରେ ବସି ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ଇତିମଧ୍ୟରେ ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି । ୨୦୨୦ରେ ସାରା ଦେଶରେ ୩୮୬୨ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ତେଣୁ ଏଥର ଏହି ସଂଖ୍ୟାକୁ ବୃଦ୍ଧି କରାଯିବ । ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯିବ । ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶବିହୀନ ରହିବ । ବିଶୋଧନ ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଟ୍‌କୁ ସ୍ଥଗିତ ରଖାଯାଇଥିଲା । ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ସେପ୍ଟେମ୍ବର ୧୨ରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ହୋଇଛି । ପ୍ରତିବର୍ଷ ପ୍ରାୟ ୧୪ରୁ ୧୫ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତାହାକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ୪ ହଜାରରୁ ଅଧିକ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।