କନକ ବ୍ୟୁରୋ : ଆଜି ନିଟ୍ ପିଜି ପ୍ରବେଶିକା, ଦେଶର ୧୭୦ଟି ସହରର ୪୧୬ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା। ମୋଟ ୨ଲକ୍ଷ ୨୮ ହଜାର ୫୪୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଓଡ଼ିଶାର ୨୬ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗୁରୁବାର ପରୀକ୍ଷାର୍ଥୀ ମାନଙ୍କୁ ଆଡ଼ମିଟ୍ କାର୍ଡ ମିଳିସାରିଛି। ଦୁଇଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ, ପ୍ରଥମ ସିଫ୍ଟ ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ୩୦ ପର୍ୟ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ସିଫ୍ଟରେ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ। ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ପରାମର୍ଶ ଦିଆଯାଇଛି। ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ହେବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ସେପଟେ ଶନିବାର ପରୀକ୍ଷା ସ୍ଥଗିତ ରଖିବାପାଇଁ ୫ ଜଣ ଛାତ୍ର ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ପରୀକ୍ଷା ଦେବାକୁ ଥିବା ସହରରେ ପହଁଚିବାକୁ ଅସୁବିଧା ଥିବା ଦର୍ଶାଇ ପାଞ୍ଚ ଛାତ୍ର କୋର୍ଟର ଦ୍ବାରସ୍ଥ ହୋଇଥିଲେ।

Advertisment