କନକ ବ୍ୟୁରୋ: ନ୍ୟାସନାଲ ଏଲିଜିବିଲିଟି-କମ ଏଂଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ପରୀକ୍ଷାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ନିଟ ପ୍ରଶ୍ନପତ୍ର ପ୍ରଘଟ କରିଥିବା ୪ ଅଭିଯୁକ୍ତଙ୍କୁ ବିହାର ପୁଲିସ ଗିରଫ କରିବା ପରେ ଘଟଣାର ପର୍ଦାଫାସ ହୋଇଛି । ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଆଶାୟୀ ପ୍ରାର୍ଥୀ ଅଛନ୍ତି । ପଚରାଉଚରା ପରେ ଅଭିଯୁକ୍ତମାନେ ପୁଲିସକୁ କହିଛନ୍ତି, ପରୀକ୍ଷାର ଦିନକ ପୂର୍ବରୁ ସେମାନେ ପ୍ରଶ୍ନପତ୍ର ପାଇଥିଲେ ଏବଂ ଭଲ ଫଳ ପାଇଁ କେବଳ ପ୍ରଶ୍ନର ଉତ୍ତର ମନେ ରଖୁଥିଲେ । ଆଶାୟୀଙ୍କୁ ପରୀକ୍ଷା ପୂର୍ବ ଦିନ ରାତିରେ ପ୍ରଶ୍ନର ଉତ୍ତର ମନେରଖିବାକୁ କୁହାଯାଇଥିଲା । ତେବେ ସେମାନେ ଯେବେ ପରୀକ୍ଷା ହଲରେ ପ୍ରଶ୍ନପତ୍ର ଦେଖିଥିଲେ ତାହା ପୂର୍ବ ରାତିରେ ଦେଖିଥିବା ପ୍ରଶ୍ନପତ୍ର ସହ ସମାନ ଥିଲା ବୋଲି ଗିରଫ ଅଭିଯୁକ୍ତ ଅନୁରାଗ ଠାକୁର କହିଛନ୍ତି ।
ପ୍ରଶ୍ନପତ୍ର ପାଇଁ ହେଉଥିଲା ବଡ ଡିଲ
ଜଣଙ୍କ ପିଛା ୩୦ରୁ ୩୨ ଲକ୍ଷ ଟଙ୍କା
ତେଜସୀ ଯାଦବଙ୍କ ସମ୍ପୃକ୍ତି ଅଭିଯୋଗ
ଡାକ୍ତରୀ ପଢିବା ପାଇଁ ହୋଇଥିବା ଏହି ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପାଇଁ ବଡ ବଡ ଡିଲ ହେଉଥିଲା । ପ୍ରଶ୍ନପତ୍ର ପାଇଁ ଜଣେ ଆଶାୟୀଙ୍କ ପିଛା ୩୦ରୁ ୩୨ ଲକ୍ଷ ଟଙ୍କା ଦାବି କରୁଥିଲେ ଦଲାଲ । ଧନୀ ଘରର ପିଲା ଟଙ୍କା ଦେଇ ପ୍ରଶ୍ନପତ୍ର ଦିନକ ଆଗରୁ ପାଇଯାଉଥିଲେ । ଜଣେ ଗିରଫ ଅଭିଯୁକ୍ତ ୪୦ ଲକ୍ଷ ଟଙ୍କା ଦେଇ ପ୍ରଶ୍ନପତ୍ର ପାଇଥିବା ପୁଲିସକୁ କହିଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ପ୍ରଶ୍ନପତ୍ର ଲିକ ପଛରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସୀ ଯାଦବଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା । ତେଜସୀଙ୍କ ସହଯୋଗୀ ପ୍ରୀତମ କୁମାର ଅଭିଯୁକ୍ତଙ୍କ ପାଇଁ ବିହାରରେ ରୁମ ବୁକ କରିଥିବା ସେ କହିଛନ୍ତି ।
ନିଟ୍ ପରୀକ୍ଷା ଫଳାଫଳ ବାହାରିବା ପରେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ଅନେପ ପ୍ରଶ୍ନ ଉଠିଛି । ଆଉ ପ୍ରଶ୍ନପତ୍ର ଲିକ୍ ନେଇ ଏବେ ପ୍ରମାଣ ମିଳିବା ପରେ ପରୀକ୍ଷା ଦେଇଥିବା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଆଶା ଓ ବିଶ୍ୱାସ ଭାଙ୍ଗିପଡିଛି । ବାସ୍ତବରେ ପ୍ରଶ୍ନପତ୍ର ଲିକ ପଛରେ କିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରିବାକୁ ଦାବି ହୋଇଛି ।