ଇତିହାସ ରଚିଲା ଓଡ଼ିଆ ପୁଅ। ନିଟ୍ ପରୀକ୍ଷାରେ ଦେଶରେ ଟପ୍ପର ହୋଇଥିବା ଓଡ଼ିଆ ପୁଅର ସଂଘର୍ଷ କାହାଣୀ ଜାଣିଲେ ଆପଣଙ୍କ ଛାତି ବି ଫୁଲି ଉଠିବ ।

1,544

କନକ ବ୍ୟୁରୋ : ଗରିବ କୁଡିଆରୁ ସଫଳତାର ସ୍ୱପ୍ନ ଦେଖୁଥିବା ପିଲାଟି ଦିନେ ଗୌରବ ଆଣିବ । ଆଉ ଭାତର ମାନଚିତ୍ରରେ ଦିନେ ଇତିହାସ ଲେଖିବ, ତାହା କେହି କେବେ ଭାବିନଥିଲେ । ଜଣେ ଚାହା ବିକାଳୀ ପୁଅ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖି ଓଡ଼ିଶାର ଟେକ ରଖିବ ତାହା ସମସ୍ତଙ୍କୁ ଅଜଣା ଥିଲା । ଆଜି ସାରା ଦେଶରେ ଓଡ଼ିଶା ମାଟିର ନାଁ ରଖିଛି ଓଡ଼ିଆ ପୁଅ ସୋଏବ ।

ଇତିହାସ ରଚିଲେ ଓଡ଼ିଆ ପୁଅ । ନିଟ୍ ପରୀକ୍ଷାରେ ହେଲେ ନମ୍ବର୧ । ୧୮ ବର୍ଷିୟ ସୋଏବ ଅଫତାବଙ୍କ ଘର ଇସ୍ପାତନଗରୀ ରାଉରକେଲାରେ । ଏକ ଗରିବ ପରିବାରରେ ସୋଏବଙ୍କ ଜନ୍ମ । ତେବେ ସଫଳତାର ଏହି ଗନ୍ତବ୍ୟସ୍ଥଳରେ ପହଂଚିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସୋଏବ । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଚାହା ବିକ୍ରି କରୁଥିବା ସୋଏବଙ୍କ ବାପାଙ୍କର ବ୍ୟବସାୟରେ ଅନେକ କ୍ଷତି ହୋଇଥିଲା । କିନ୍ତୁ ଦୁଃଖ କଷ୍ଟ ଭିତରେ ମଧ୍ୟ କେବେ ହାରିଯାଇନଥିଲେ ସୋଏବ । ସଫଳତାର ସ୍ୱପ୍ନ ଦେଖି କଠିନ ପରିଶ୍ରମ କରିଚାଲିଥିବା ସୋଏବ, ନିଟ୍ ପରୀକ୍ଷାରେ ରଚିଛନ୍ତି ଇତିହାସ ।

ମେଡିକାଲ ପ୍ରବେଶିକା ପରୀକ୍ଷା-ନିଟ୍-୨୦୨୦ରେ ଟପ୍ପର ହୋଇଥିବା ଓଡିଶାର ସୁନା ପୁଅ ସୋଏବ, ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖି ହୋଇଛନ୍ତି ଟପ୍ପର । ସେ ନିଟରେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖିଛନ୍ତି । ତେବେ ବାୟୋଲୋଜିରେ ୩୬୦ ନମ୍ବର, ଫିଜିକ୍ସରେ ୧୮୦ ଏବଂ କେମେଷ୍ଟ୍ରିରେ ମଧ୍ୟ ଫୁଲ ମାର୍କ ୧୮୦ ରଖିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି, ନିଟ୍ ପରୀକ୍ଷା ଇତିହାସରେ ପ୍ରଥମ ଥର ପାଇଁ ସେ ଏହି ବଡ଼ ସଫଳତା ହାସଲ କରିଛନ୍ତି । ତାଙ୍କର ଅଦମ୍ୟ ଇଚ୍ଛାଶକ୍ତିକୁ ସାଧୁତା ଜଣାଇ ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି କନକ ନ୍ୟୁଜ୍ ।