କନକ ବ୍ୟୁରୋ: କରୋନା ପାଇଁ ଔଷଧ ନାହିଁ ଅର୍ଥାତ କରୋନା ଆକ୍ରାନ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଔଷଧ ତିଆରି ହୋଇନାହିଁ । ଏପରି କହିଛନ୍ତି ଏମସର ବରିଷ୍ଠ ଡାକ୍ତର ନୀରଜ ନିଶ୍ଚଲ୍ । ଯେଉଁ ଲକ୍ଷଣ ଦେଖାଦେଉଛି, ସେହି ଅନୁସାରେ ଔଷଧ ଦିଆଯାଉଛି । ସେ କହିଛନ୍ତି, ତୃତୀୟ ଲହରରେ ଅଧିକାଂଶ ରୋଗୀଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ରହିଛି । ସେମାନେ ଘରେ ରହି ଆବଶ୍ୟକ ମୁତାବକ ଡାକ୍ତରୀ ପରାମର୍ଶ ନେଇ ଚିକିତ୍ସିତ ହୋଇପାରିବେ । ରୋଗରେ ପୀଡ଼ିତ ବୟସ୍କ ବ୍ୟକ୍ତି ଏବଂ ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଯତ୍ନବାନ ହେବା ଆବଶ୍ୟକ । ହସପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଥିବାରୁ ହସପିଟାଲ ଭିତ୍ତିଭୂମି ଓ ଅଧିକ ଡାକ୍ତର ନିୟୋଜିତ କରିବାକୁ ଗତକାଲି ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର ।
ଦେଶରେ ଓମିକ୍ରନ ସଂଖ୍ୟା ବଢୁଥିବା ବେଳେ ଏମସର ବରିଷ୍ଠ ଚିକିତ୍ସକ ଡାକ୍ତର ନୀରଜ ନିଶ୍ଚଲ କହିଛନ୍ତି, ଓମିକ୍ରନ ଆକ୍ରାନ୍ତଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ରହୁଛି, ତେଣୁ ଘରୋଇ ସଙ୍ଗରୋଧରେ ରହି ଯେଉଁ ସବୁ ଲକ୍ଷଣ ପ୍ରକାଶ ପାଇଛି, ସେହି ଅନୁସାରେ ଚିକିତ୍ସିତ ହୋଇପାରିବେ । କାରଣ କରୋନା ପାଇଁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ । ତେବେ ତୃତୀୟ ଲହରରେ ହସପିଟାଲରେ ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ କିପରି ଘରେ ରହି ଚିକତ୍ସିତ ହୋଇପାରିବେ, ଏ ନେଇ ମତ ଦେଇଛନ୍ତି ଏମସର ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ନୀରଜ ନିଶ୍ଚଲ । ସେ କହିଛନ୍ତି...
- ତୃତୀୟ ଲହରରେ ଅଧିକାଂଶ ରୋଗୀ ଗୁରୁତର ହେଉନଥିବା ଦେଖିବାକୁ ମିଳୁଛି
- କରୋନା ପାଇଁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଔଷଧ ବାହାରିନି
- ସ୍ୱଳ୍ପ ଲକ୍ଷଣ ଥିଲେ, ଘରେ ରହି ଚିକିତ୍ସିତ ହୋଇପାରିବେ ଆକ୍ରାନ୍ତ
- ଆଂଟି ଭାଇରାଲ ପିଲ୍ ‘ମୋଲ୍ନୁପିରାଭିର୍’ କରୋନା ପାଇଁ ମ୍ୟାଜିକ ଔଷଧ ନୁହେଁ
- ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଧୈର୍ଯ୍ୟ, ସକରାତ୍ମକ ଚିନ୍ତା, ପାରାସିଟାମଲ୍ ଆବଶ୍ୟକ
- ରୋଗରେ ଆକ୍ରାନ୍ତ ଥିବା ବୟସ୍କ ରୋଗୀ ଓ ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଯତ୍ନବାନ ହେବା ଜରୁରୀ
- ଓମିକ୍ରନ ବିରୋଧରେ ଫଳପ୍ରଦ ହେଉନି ମନୋକ୍ଲୋନାଲ୍ ଆଂଟିବଡି
- କରୋନା ନିୟମ ମାନିଲେ, ତୃତୀୟ ଲହରର ମୁକାବିଲା କରିହେବ
ଦ୍ୱିତୀୟ ଲହରରେ ୨୦ରୁ ୨୩ ପ୍ରତିଶତ ରୋଗୀ, ହସ୍ପିଟାଲରେ ଭର୍ତ୍ତି ହେଉଥିବା ବେଳେ ତୃତୀୟ ଲହରରେ ମାତ୍ର ୫ରୁ ୧୦ ପ୍ରତିଶତ ଆକ୍ରାନ୍ତଙ୍କ ପାଇଁ ହସପିଟାଲ ଯିବା ଆବଶ୍ୟକ ପଡୁଛି । ତେବେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ହସପିଟାଲରେ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବା ଆଶଙ୍କା କରି ରାଜ୍ୟ ସରକାରଙ୍କୁ ସୋମବାର ଦିନ ଚିଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ହସପିଟାଲରେ ବେଡ୍, ଅକ୍ସିଜେନ୍ ଯୁକ୍ତ ବେଡ୍, ଆଇସିୟୁ, ଭେଣ୍ଟିଲେଟର ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଏପରିକି ଅବସରପ୍ରାପ୍ତ ଡାକ୍ତର ଏବଂ ମେଡିକାଲ ଓ ନର୍ସିଂ ଛାତ୍ରଙ୍କୁ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।