କନକ ବ୍ୟୁରୋ: ଏସିଆନ୍ ଗେମ୍ସରେ ବଢିଲା ଭାରତର ସ୍ୱର୍ଣ୍ଣପଦକ । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଲେ ସୁନା ପୁଅ ନୀରଜ ଚୋପ୍ରା । ବୁଧବାର ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଅନ୍ୟପଟେ ଓଡିଆ ପୁଅ କିଶୋର ଜେନା ମଧ୍ୟ ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।

Advertisment

ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି କିଶୋର ଜେନା ୮୭.୫୪ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ପୂରା ପ୍ରତିଯୋଗିତାରେ ଦୁଇ ଭାରତୀୟ ଖେଳାଳିଙ୍କ ଭିତରେ ଟକ୍କର ଦେଖିବାକୁ ମିଳିଥିଲା । ଏମିତି କି ଗୋଟିଏ ରାଉଣ୍ଡରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଦେଇଥିଲେ କିଶୋର ଜେନା । ହେଲେ ଚତୁର୍ଥ ରାଉଣ୍ଡରେ ନୀରଜ ନିଜର ବେଷ୍ଟ ଦେବା ସହିତ କିଶୋରଙ୍କୁ ପଛରେ ପକାଇ ଦେଇଥିଲେ ।

ଏହି ମ୍ୟାଚରେ ନୀରଜ ଚୋପ୍ରାଙ୍କୁ ଟକ୍କର ଦେଇଥିଲେ କିଶୋର ଜେନା । ତେବେ ନୀରଜଙ୍କ ପ୍ରଥମ ଥ୍ରୋ କିନ୍ତୁ ଟେକ୍ନିକାଲ କାରଣରୁ କାଉଣ୍ଟ କରାଯାଇନଥିଲା । ଏହାପରେ ସେ ୮୨.୩୮ ମିଟର ଥ୍ରୋ କରିଥିଲେ । ପରେ ପରେ କିଶୋର ଜେନା ମଧ୍ୟ ଏହି ରାଉଣ୍ଡରେ ୮୧.୨୬ ମିଟର ଏବଂ ଦ୍ୱିତୀୟ ଥରରେ ୮୪.୪୯ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ତେବେ ତୃତୀୟ ରାଉଣ୍ଡରେ ଦୁଇ ଖେଳାଳିଙ୍କ ଭିତରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତୃତୀୟ ରାଉଣ୍ଡରେ କିଶୋର ଜେନା , ସୁନା ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଦେଇଥିଲେ ।