ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ଆମେରିକା ପ୍ରଶାସନ ତରଫରୁ ମିଳିଲା ବଡ ଦାୟିତ୍ୱ । ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ନିଯୁକ୍ତ

112

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ତାଙ୍କ ଟିମରେ ଏକ ବଡ ଦାୟିତ୍ୱ ଦେଇଛନ୍ତି । ଜୋ ବାଇଡେନଙ୍କ ଦ୍ୱାରା କ୍ୟାବିନେଟକୁ ନିର୍ବାଚିତ ହୋଇଥିବା ନୀରା ଟଣ୍ଡନଙ୍କୁ ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଏହାପୂର୍ବରୁ ନୀରାଙ୍କୁ ବାଇଡେନଙ୍କ ତରଫରୁ ପ୍ରବନ୍ଧନ ଓ ବଜେଟ୍ କାର୍ଯ୍ୟାଳୟର ନେତୃତ୍ୱ ନେବା ଭଳି ଦାୟିତ୍ୱ ଦିଆଯାଇଥିଲା । ହେଲେ ସେଠାରେ ଏହାକୁ ବିରୋଧ ହେବାକୁ ନୀରା ମାର୍ଚ୍ଚ ମାସରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ ।

ସେଣ୍ଟର ଫର ଆମେରିକାନ (ସିଏପି) ର ସଂସ୍ଥାପକ ଜନ୍ ପେଡେଷ୍ଟା କହିଛନ୍ତି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନୀରା ଟଣ୍ଡନଙ୍କୁ ତାଙ୍କ ଟିମରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ନୀରା ଟଣ୍ଡନ ତାଙ୍କ ବୁଦ୍ଧି, ଶ୍ରମ ଓ ରାଜନୈତିକ ଦୃଷ୍ଟି କୋଣରୁ ବାଇଡେନ ପ୍ରଶାସନ ପାଇଁ ଭଲ କାମ କରିବେ ବୋଲି ଆଶା କରାଯାଉଛି ।

ଆମେରିକା ରାଜନୀତିରେ ନୀରା ହେଉଛନ୍ତି ଏକ ବିବାଦୀୟ ନେତ୍ରୀ । ସେ ସୋସିଆଲ ମିଡିଆରେ କିଛି ବିବାଦୀୟ ପୋଷ୍ଟ କରି ଉଭୟ ଡେମୋକ୍ରେଟିକ୍ ଓ ରିପବ୍ଲିକାନ ସିନେଟରଙ୍କ ବିରୋଧର ସାମ୍ନା କରିଥିଲେ । ଏମିତି କି ସେ ନିଜ ଦଳର ସାଂସଦ ମାନଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ ।

ସବୁଠାରୁ ବଡକଥା ଯେତେବେଳେ ନୀରାଙ୍କ ନାମାଙ୍କନକୁ ଡେମୋକ୍ରେଟିକ୍ ପାର୍ଟିର ସାଂସଦ ମାନେ ବିରୋଧ କରିଥିଲେ , ଜୋ ବାଇଡେନ କହିଥିଲେ କି ପ୍ରବନ୍ଧନ କାର୍ଯ୍ୟାଳୟ ଓ ବଜେଟ୍ ନିର୍ଦ୍ଦେଶକ ପଦ ପାଇଁ ନୀରା କରିଥିବା ନାମାଙ୍କନ ଦାଖଲକୁ ପ୍ରତ୍ୟାହାର କରାଯାଉ । ଠିକ୍ ଏହି ସମୟରେ ବାଇଡେନ ଆହୁରି କହିଥିଲେ କି ନୀରାଙ୍କ ଅନୁଭବ ଓ ତାଙ୍କ କାମ କରିବାର କୌଶଳକୁ ସେ ସମ୍ମାନ କରନ୍ତି ଓ ତାଙ୍କୁ ମୋ ପ୍ରଶାସନରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ଦରକାର । ଏହି କ୍ରମରେ ଆଜି ତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ଦଆଯାଇଥିବା ଜଣାପଡିଛି ।