ଶିଳ୍ପ ବୁଡିଲା ଜୀବିକା ଗଲା । ନୀଳାଚଳ ଇସ୍ପାତ ବନ୍ଦ ହେବା ପରେ ଉଜୁଡିଗଲା ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ଜୀବିକା, ରାଜ୍ୟର ଦ୍ୱିତୀୟ ବୃହତ ଶିଳ୍ପ ପ୍ରକଳ୍ପ ଏବେ ଖାଁ ଖାଁ ।

1,354

କନକ ବ୍ୟୁରୋ : କାରଖାନା ବନ୍ଦ, ଚାକିରି ନାହିଁ । ଏପଟେ ପେଟପାଟଣା ପାଇଁ ବିକଳ୍ପ ଖୋଜୁଛନ୍ତି ଲୋକେ । ଏହା ହେଉଛି ନିଳାଚଳ ଇସ୍ପାତ ନିଗମ କର୍ମଚାରୀଙ୍କ ଜୀବନ ସଂଘର୍ଷର କାହାଣୀ । ପୁଂଜି ପ୍ରତ୍ୟାହାର ନିଷ୍ପତି ନେବା ପରେ ପରେ ବନ୍ଦ ହୋଇଯାଇଛି କାରଖାନା । ଅନ୍ୟପଟେ ଘରୋଇ କମ୍ପାନୀ ବଦଳରେ ରାଷ୍ଟ୍ରାୟତ କମ୍ପାନୀ ସହ ମିଶାଇ ଦେବାକୁ କର୍ମଚାରୀ ଦାବି କରୁଛନ୍ତି । ଗୋଟିଏ ପଟେ କରୋନା କଟକଣା ଯୋଗୁଁ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଚାକିରି ହରାଇ ଚିନ୍ତାରେ କର୍ମଚାରୀ ।

ଖୁସିରେ ଶିଖି ଥିବା କାମ ଏବେ ପେଟ ପୋଶୁଛି । ନିଜେ ସିଲେଇ କରୁଛନ୍ତି ଭଳି କି ଭଳି ଝିଅଙ୍କ ପୋଷାକ । ଏହାକୁ ବିକ୍ରି କରି ଘର ଚଳାଉଛନ୍ତି ଦାନଗଦୀ ବ୍ଳକ ବଜ୍ରପଲ୍ଲି ଗାଁର ମିନି ବାର୍ଜ । ୮ ମାସ ତଳେ ସ୍ଥିତି ଏମିତି ନଥିଲା । ସ୍ୱାମୀ ଲକ୍ଷ୍ମଣ ବାର୍ଜ ନିଳାଚଳ ଇସ୍ପାତ ନିଗମରେ ଚାକିରି କରୁଥିଲେ । କିନ୍ତୁ ଏବେ ଦରମା ନାହିଁ କି ଚାକିରି ନାହିଁ । ଫଳରେ ମିନିଙ୍କ ପାଇଁ ସାହାର ସାଜିଛି ସିଲେଇ ମେସିନ୍ ।

ସେଭଳି ଅତି ଦୁଃଖରେ ଦିନ କାଟୁଛନ୍ତି ଲୋକନାଥ ପୂର୍ତୀ । ଓଳିଏ ଖାଇଲେ ଓଳିଏ ଉପାସରେ ଦିନ ବିତୁଛି । ପଖାଳ, ଶାଗ ଭଜା ଟିକିଏ ଯୋଗାଡ ହୋଇଗଲେ ବହୁତ ବଡ କଥା ମନେ କରୁଛନ୍ତି ନିଳାଚଳ ଇସ୍ପାତର ଅଗ୍ନିଶମ ବିଭାଗରେ କାମ କରୁଥିବା ଲୋକନାଥ । ହେଲେ ଏବେ ଦୀର୍ଘ ଦିନ ଧରି ଦରମା ନପାଇବା ସହ କମ୍ପାନୀ ବନ୍ଦ ହେବା ପରେ ପାନ ଦୋକାନ କରି ଗୁଜୁରାଣ ମେଂଟାଇବାର ଉଦ୍ୟମ କରୁଛନ୍ତି । ଏହି ସମାନ ଅବସ୍ଥାରେ ରହିଛନ୍ତି ବହୁ କର୍ମଚାରୀ । ବିଭିନ୍ନ ବାଟରେ ପେଟପାଟଣା କରିବାକୁ ସେମାନେ ଉଦ୍ୟମ କରୁଛନ୍ତି ।

ଓଡିଶାର ଦ୍ୱିତୀୟ ଇସ୍ପାତ କାରଖାନା ପାଇଁ ବିଜୁ ବାବୁ ଦେଖିଥିବା ସ୍ୱପ୍ନର ପ୍ରତୀକ ହେଉଛି ଏହି ନିଳାଚଳ ଇସ୍ପାତ ନିଗମ ଲିମିଟେଡ । ହେଲେ ପୁଂଜି ପ୍ରତ୍ୟାହାର ନିଷ୍ପତି ପରେ କରୋନା କାଳରେ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ମାସ ମାସ ଧରି ଦରମା ପାଇନଥିବା କର୍ମଚାରୀ, କାରଖାନା ବନ୍ଦ ହେବା ପରେ ସେଲ୍ ପରି ରାଷ୍ଟ୍ରାୟତ ଉଦ୍ୟୋଗ ସହ ବିଳିନ କରିବାକୁ ଦାବି କରି ଆସୁଛନ୍ତି । ଏନେଇ ସରକାରଙ୍କ ନିକଟରେ ସେମାନେ ଦାବି କରିଛନ୍ତି ।
ରାଜ୍ୟକୁ ଶିଳ୍ପ ସଂବୃଦ୍ଧ କରିବା ପାଇଁ ଯୋଜନା କରୁଥିବା ରାଜ୍ୟ ସରକାର ନିଳାଚଳ ଇସ୍ପାତ ନିଗମ ପରି ଏକ କମ୍ପାନୀର ପୁଣି ଚଳାଇବା ଦିଗରେ କେନ୍ଦ୍ର ସହ ସମନ୍ୱୟ ରଖି କାମ କରିବା ପାଇଁ ଦାବି ହେଉଛି । ଫଳରେ ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ବଂଚାଯାଆନ୍ତା ବୋଲି କୁହାଯାଉଛି ।

Comments are closed.