ରାସ୍ତାରେ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକ । ବାର ଘଂଣ୍ଟିଆ ରାସ୍ତାରୋକ ଯୋଗୁଁ ଯାଜପୁର ଶିଳ୍ପାଞ୍ଚଳରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍ ।

103

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ପରିଚାଳିତ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକମାନେ ବାର ଘଂଟିଆ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଦଶ ମାସର ବକେୟା ଦରମା ପ୍ରଦାନ ଏବଂ ଗଚ୍ଛିତ ହୋଇ ରହିଥିବା ଉତ୍ପାଦିତ ମାଲକୁ ଅନ୍ୟତ୍ର ବିକ୍ରି ପାଇଁ ହେଉଥିବା ମସୁଧାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି । ଫଳରେ ଡୁବୁରୀ ଯାଜପୁର ରୋଡ ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରୁଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ କଳିଙ୍ଗନଗର ଶିଳ୍ପାଂଚଳର ସମସ୍ତ କାରଖାନାକୁ ବନ୍ଦ କରିଦିଆ ଯିବ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ଅନେକ ଥର ଆଲୋଚନା କରାଯାଇଥିଲେ କୌଣସି ସୁଫଳ ନମିଳିବାରୁ ବାରବାର ଆନ୍ଦୋଳନ କରାଯାଇଛି । କରୋନା ସମୟରେ ଅନେକ କର୍ମଚାରୀ ପରିବା ବେପାର କରିବା ସହ ଅନେକ ଚାକିରି ଛାଡି ଘରକୁ ଫେରି ଯାଇଛନ୍ତି ।

କର୍ତୃପକ୍ଷ କାରଖାନାକୁ ରୁଗଣ କରିଦେଇଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ତେଣୁ ଯଥାଶୀଘ୍ର ଦରମା ପ୍ରଦାନ ସହ କାରଖାନାକୁ ଚାଲୁ କରିବା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ କଳିଙ୍ଗନଗର ଶିଳ୍ପାଂଚଳକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦାଳନରତ କର୍ମଚାରୀ ।