ଭ୍ୟାକ୍ସିନ ନେବାବେଳେ ଭାଙ୍ଗିଗଲା ଛୁଞ୍ଚି: କାମ କରୁନି ଯୁବକଙ୍କ ହାତ, ଗୋଡ

258

କନକ ବ୍ୟୁରୋ: ଏବେ ଦେଶରେ ଚାଲିଛି ଜୋରଦାର ଟିକାକରଣ । ଟିକାକରଣକୁ ନେଇ କେତେବେଳେ ଭଲ ଖବର ତ କେତେବେଳେ ଖରାପ ଖବର ସାମ୍ନାକୁ ଆସିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁସାରେ ଜଣେ ଯୁବକ ଭ୍ୟାକ୍ସିନ ନେଉଥିବା ବେଳେ ତାଙ୍କ ହାତରେ ଛୁଞ୍ଚି ଭାଙ୍ଗି ରହିଯାଇଥିଲା । ଫଳରେ ତାଙ୍କର ଡାହଣା ହାତ ଓ ଗୋଡ କାମ କରୁନଥିବା ଜଣାପଡିଛି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲଳିତପୁର ଜିଲ୍ଲାରେ । ଲଳିତପୁର ସ୍ୱାସ୍ଥ୍ୟବିଭାଗର ଏଭଳି ଏକ ଖାମଖିଆଲ କାମ ଯୋଗୁଁ ଜଣେ ଯୁବକଙ୍କୁ ତାଙ୍କ ହାତ ଓ ଗୋଡ ହରାଇବାକୁ ପଡିଛି । ଯୁବକ ଜଣ ହେଉଛନ୍ତି ବାନୋଲି ଗାଁର ୨୨ ବର୍ଷିୟ ଇନ୍ଦ୍ରେଶ ଅହିରବାର । ତାଙ୍କ ଗାଁରେ ଏକ ଭ୍ୟାକ୍ସିନ କ୍ୟାମ୍ପରେ ଟିକା ନେବା ବେଳେ ଏଭଳି ଘଟଣା ଘଟିଥିଲା ।

ତେବେ ଟିକା ନେବା ପରେ ଯୁବକଙ୍କୁ ପ୍ରବଳ ଜ୍ୱର ହୋଇଥିଲା ଆଉ ତାଙ୍କ ହାତ ଫୁଲି ଯାଇଥିଲା । ଘରୋଇ ଡାକ୍ତରଙ୍କ ପରାମର୍ଶ ପରେ ବି ସ୍ଥିତିରେ ସୁଧାର ଆସିନଥିଲେ । ଏହାପରେ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କୁ ପରାମର୍ଶ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ଆଉ ସେତେବେଳେ ତାଙ୍କ ହାତରେ ଛୁଞ୍ଚି ରହିଯାଇଥିବା ଜଣାପଡିଥିଲା । ଅପରେସନ ହୋଇଥିଲା, ଆଉ ଛୁଞ୍ଚି ବାହାରିଯାଇଥିଲା । ହେଲେ ଏବେ ତାଙ୍କର ଗୋଟିଏ ହାତ ଓ ଗୋଟିଓ ଗୋଡ କାମ କରୁନାହିଁ ।

ପୂର୍ବରୁ ମଧ୍ୟ ସହରରେ ଜଣେ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକର୍ମୀ ଏକାଥରେ ଦୁଇଟି ଡୋଜ ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଆଉ ଏବେ ପୁଣି ସେହି ଜିଲ୍ଲାରେ ଏଭଳି ଏକ ଘଟଣା ସ୍ୱାସ୍ଥ୍ୟ ବିଭାଗର କାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।