କନକ ବ୍ୟୁରୋ : ବିଛଣାରେ ପଡିଛନ୍ତି ରୋଗୀଣା ମାଆ । ଖଟିବାକୁ ବୁଢା ବାପାଙ୍କ ଦେହରେ ଆଉ ଜୁ ନାହିଁ । ତେଣୁ ପରିବାର ଚଳାଇବା ପାଇଁ ଅଂଟା ଭିଡିଛି ନାବାଳକ ପୁଅ । ମାଆର ସେବା କରିବାକୁ ଅଧାରୁ ପାଠ ଛାଡିଦେଇଛି ଝିଅ । ଏମିତି ଏକ ଦୁଃଖି ପରିବାର ଅଛି, ବାଲେଶ୍ୱର ନୀଳଗିରି ବ୍ଲକ କେଶିପୁର ଅଶୋକନାଳ ଗାଁରେ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସନ୍ତୋଷ ମାହାକୁଡଙ୍କ ଛୋଟ ସଂସାର । ସ୍ୱଳ୍ପ ରୋଜଗାରରେ ଚଳିଯାଉଥିଲା ଛୋଟ ସଂସାର । ହେଲେ ଦୁଇ ବର୍ଷ ତଳେ ହଠାତ୍ ଅସୁସ୍ଥ ହୋଇପଡିଲେ ସନ୍ତୋଷଙ୍କ ପତ୍ନୀ । ୨ଟି ଯାକ କିଡୀନ ନାଷ୍ଟ ହୋଇଯାଇଛି । ଝିଅ ମାଆଙ୍କ ସେବାରେ ଲାଗିଥିବା ବେଳେ ନାବାଳକ ପୁଅ ଚନ୍ଦନ ଦାଦନ ଖଟିବାକୁ ଯାଇଛି ।

Advertisment

ବାପା ସନ୍ତୋଷ ବାହାରେ ଦିନ ମଜୁରିଆ ଭାବେ କାମ କରି ଦୁଇ ପିଲାଙ୍କୁ ପାଠ ପଢାଇ ମଣିଷ କରିବାରୁ ସ୍ୱପ୍ନ ଦେଖୁଥିଲେ । ହେଲେ ସମୟ ସାଥ ଦେଲା ନାହିଁ । ମାଆ ଅସୁସ୍ଥ ହୋଇପଡିବା ପରେ ପିଲାଙ୍କ ପଢା ବହିରେ ଡୋରୀ ବନ୍ଧା ହୋଇଯାଇଛି । ଅର୍ଥାଭାବ ଯୋଗୁଁ ଝିଅ ଯୁକ୍ତ-୨ ପରେ ଓ ପୁଅ ମାଟ୍ରିକ ପରୀକ୍ଷା ଦେଇ ନପାରି ଦାଦନ ଖଟିବାକୁ ଚାଲିଯାଇଛି । ସେପଟେ ମାଆର ପ୍ରତି ସପ୍ତାହରେ ଦୁଇ ଥର ଡାଏଲସିସ୍ ଆବଶ୍ୟକ ହେଉଛି । ସ୍ୱାସ୍ଥ୍ୟକାର୍ଡରେ ଡାକ୍ତରଖାନାରେ ମାଗଣାରେ ଡାଏଲସିସି ହେଉଥିବା ବେଳ ଗାଡି ଭଡା କରି ଘରୁ ଡାକ୍ତରଖାନା ଯାଏଁ ଯିବା ସମ୍ଭବ ହେଉନାହିଁଁ  । ତେଣୁ ମାଆକୁ ସାଇକେଲରେ ବସାଇ ୧୦ କିଲୋମିଟର ନେବା ପରେ ବସ ଯୋଗେ ଡାକ୍ତରଖାନାକୁ ଯାଉଛନ୍ତି । ନିଜ ସାମର୍ଥ୍ୟ ନଥିବାରୁ ସହାୟତା ଲୋଡିଛନ୍ତି ।

ଅସହାୟ ଅବସ୍ଥାରେ ଏହି କୁଡିଆ ଭିତରେ ରହୁଥିବା ପରିବାରକୁ ଯଦି କେହି ସହାୟତା କରିବାକୁ ଚାହାନ୍ତି ତେବେ ମାମା ମହାକୁଡଙ୍କ ଆକାଉଂଟ ନମ୍ବରରେ କରିପାରିବେ ।
ନାମ-ମାମା ମହାକୁଡ଼

Account no- 41460110028839

ifsc code -IOBAORGB01