ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ରାତିରେ ଡାକ୍ତର ରହୁନଥିବା ନୋଟିସ୍ ମାରିଲେ ଡାକ୍ତରଖାନା କର୍ତୃପକ୍ଷ ।

90

କନକ ବ୍ୟୁରୋ: ଡାକ୍ତରଖାନା ଅଛି, ହେଲେ ରାତିରେ ଗଲେ ଆପଣଙ୍କୁ ଚିକିତ୍ସା ସେବା ମିଳିବ ନାହିଁ । କାରଣ ଡାକ୍ତରଖାନାରେ ରାତିରେ ଡାକ୍ତର ରହିବେ ନାହିଁ । ଏ କଥା ଆମେ କହୁନାହୁଁ । ଡାକ୍ତରଖାନାରେ ଲାଗିଥିବା ନୋଟିସ୍ ବୋର୍ଡକୁ ଦେଖି ଚାରିଆଡେ ଚର୍ଚ୍ଚା ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଏହି ନୋଟିସ୍ ଲାଗିଥିଲା । ସକାଳୁ ରାତି ୭ଟା ଯାଏଁ ଡାକ୍ତରଙ୍କ ତାଲିକା ଥିବା ବେଳେ ରାତିରେ ଡାକ୍ତର ରହିବେ ନାହିଁ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି । ଏହି ନୋଟିସ୍ ଦେଖି ରୋଗୀ ଓ ସ୍ଥାନୀୟ ବାସିନ୍ଦା ତାତି ଉଠିଥିଲେ । ଡାକ୍ତରଖାନାରେ ଉତେଜନା ଦେଖିବାକୁ ମିଳିଥିଲା । ରୋଗୀ ଓ ରୋଗୀଙ୍କ ସଂପର୍କୀୟ ରାଗିବାରୁ ଆଜି ଦିନରୁ ରାତି ଯାଏଁ ଡାକ୍ତରଙ୍କ ତାଲିକା ଉଲ୍ଲେଖ ରହିଛି ।

ତେବେ ଡାକ୍ତରଙ୍କ ଅଭାବ ଯୋଗୁଁ ଏଠାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥାଏ । ଅନେକ ସମୟରେ ଆଟେଣ୍ଡାଣ୍ଟମାନେ ରୋଗୀ ସେବା ଯୋଗାଇଥାନ୍ତି । ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୧୩ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି । ହେଲେ ଏବେ ଅଛନ୍ତି ମାତ୍ର ୪ ଜଣ ଡାକ୍ତର । ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ଏଠାରେ ସେବା ନପାଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଥାନ୍ତି ।