କନକ ବ୍ୟୁରୋ : ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି । ସଂରକ୍ଷଣ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଓ ହଂସା କାରଣରୁ ଶତାଧିକ ଲୋକଙ୍କ ଜୀବନ ଯାଇଛି । ଆନ୍ଦୋଳନରତ ଛାତ୍ରଙ୍କ ଉପରକୁ ରବର ଗୁଳି ଓ ଲୁହ ବୁହା ଗ୍ୟାସ ମାଡ଼ କରୁଛନ୍ତି ସୁରକ୍ଷାକର୍ମୀ । ଦେଶରେ କର୍ଫ୍ୟୁ ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ବାଂଲାଦେଶରେ ରହିବା ଭାରତୀୟମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ତେଣୁ ବାଂଲାଦେଶ ଛାଡ଼ି ସ୍ବଦେଶ ଫେରୁଛନ୍ତି ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ । ବର୍ତ୍ତମାନ ସୁଦ୍ଧା ୭୭୮ ଜଣ ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିଛନ୍ତି । ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ତ୍ରିପୁରା ଓ ଅଗରତାଲାର ମାର୍ଗକୁ ବ୍ୟବହାର କରାଯାଉଛି । ସେପଟେ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଛାତ୍ରଛାତ୍ରୀ ଫେରୁଥିବା ମାର୍ଗରେ ସୁରକ୍ଷା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାର ଅଧିକାରୀଙ୍କ ସହ ଲଗାତାର ସମ୍ପର୍କରେ ରହିଛନ୍ତି ଭାରତୀୟ ଉଚ୍ଚ ଆୟୋଗ । ବିଏସଏଫ ଯବାନଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ତେବେ ବାଂଲାଦେଶରେ ରହୁଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଘରମୁହାଁ ଛାତ୍ରଛାତ୍ରୀ
ବାଲାଂଦେଶରେ ଅଛନ୍ତି ୧୫,୦୦୦ ଭାରତୀୟ
୧୫ ହଜାର ଭାରତୀୟଙ୍କ ମଧ୍ୟରୁ ୮,୫୦୦ ଜଣ ଛାତ୍ରଛାତ୍ରୀ
ଅଧିକାଂଶ ଉତ୍ତରପ୍ରଦେଶ, ହରିୟାଣା, ମେଘାଳୟ ଓ ଜମ୍ମୁ କାଶ୍ମୀର
ଏମବିବିଏସ୍ ଡିଗ୍ରୀ ପାଇଁ ବାଂଲାଦେଶ ଯାଇଛନ୍ତି ଛାତ୍ରଛାତ୍ରୀ
୭୭୮ ଛାତ୍ରଛାତ୍ରୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ
ବିମାନ ଯୋଗେ ଫେରିଛନ୍ତି ୨୦୦ ଛାତ୍ରଛାତ୍ରୀ
ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ କେନ୍ଦ୍ରର ଗୁରୁତ୍ବ
ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ଜାରି
ନଜର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ବାଂଲାଦେଶରେ ସମସ୍ତ ଭାରତୀୟ ସୁରକ୍ଷିତ

ସ୍ପଳ୍ପ ମୂଲ୍ୟରେ ଡାକ୍ତରୀ ପାଠ ପଢ଼ିବାକୁ ବାଂଲାଦେଶ ଯାଇଛନ୍ତି ଅନେକ ଭାରତୀୟ । କିନ୍ତୁ ହିଂସା ପରିସ୍ଥିତି ଯୋଗୁଁ ଏବେ ଏହି ଛାତ୍ରଛାତ୍ରୀଙ୍କୁ ଭାରତ ଫେରିବାକୁ ପଡୁଛି । ପୂର୍ବରୁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଏବେ ବାଂଲାଦେଶରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ପାଠପଢ଼ା ବ୍ୟାଘାତ ହେବା ସହ କେଉଁଠି ଓ କିଭଳି ନିଯୁକ୍ତି ପାଇବେ ତାହା ମଧ୍ୟ ବଡ଼ ପ୍ରଶ୍ନ । ଭାରତରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ତୁଳନାରେ ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କର ଜ୍ଞାନ ଏବଂ ଚିକିତ୍ସା ତାଲିମ ଭିନ୍ନ ରହିଥାଏ । ରୋଗ ଅଧ୍ୟୟନ, ଭାଷା, କ୍ଲିନିକାଲ ଟ୍ରେନିଂ, ବିଦେଶୀ ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟାର ମାନ ଆମ ଦେଶ ତୁଳନାରେ ଭିନ୍ନ । ଭାରତରେ ଡାକ୍ତରୀ ଅଭ୍ୟାସ ଓ ଚାକିରି ପାଇବାକୁ ହେଲେ ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାସନାଲ ଏକ୍ସଜିଟ ଟେଷ୍ଟରେ ପାସ କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚିନ୍ତା ବଢ଼ିଛି ।

ବାଂଲାଦେଶରେ ହିଂସା ବଢୁଥିବା ବେଳେ ଏବେ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା କେନ୍ଦ୍ର ସରକାରଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।