କନକ ବ୍ୟୁରୋ : ଭାରତରେ ତୃତୀୟ ଲହର ସମୟରେ ଓମିକ୍ରନ ଭୂତାଣୁ ସଂକ୍ରମଣ ବଢ଼ାଇଥିବା ବେଳେ ଏବେ ଚୀନରେ ଚିନ୍ତା ବଢ଼ାଇଛି ଏହି ପ୍ରଜାତି । ଚୀନରେ ସଂକ୍ରମଣ ବଢୁଥିବା ବେଳେ ଦିନକରେ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ଟି ସହରରେ ଲକଡାଉନ ଘୋଷଣା ହୋଇଥିବା ବେଳେ ପ୍ରାୟ ୩ କୋଟି ଲୋକ କଟକଣା ମାନି ଘର ଭିତରେ ବନ୍ଦୀ ହୋଇ ରହିଛନ୍ତି ।
ଚୀନର ୧୩ଟି ସହରରେ ଲକଡାଉନ୍ । ଘର ଭିତରେ ବନ୍ଦୀ ୩ କୋଟି ଲୋକ । ଜିରୋ କୋଭିଡ୍ ବା ଶୂନ୍ୟ କୋଭିଡ୍ ନୀତି ଉପରେ ଗୁରୁତ୍ୱ ଦେଇଆସୁଥିବା ଚୀନରେ ଏବେ ସଂକ୍ରମଣର ସ୍ଥିତି ବିଗିଡ଼ିବାରେ ଲାଗିଛି । ଦିନକରେ ସେଠାରେ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାରରେ ହଠାତ୍ ବୃଦ୍ଧି ପରେ କଡ଼ା ପଦକ୍ଷେପ ନେଇଛନ୍ତି ଚୀନ୍ ସରକାର । ଏଯାଏଁ ୧୩ଟି ସହରରେ ଲକଡାଉନ ଘୋଷଣା ହୋଇଥିବା ବେଳେ ପ୍ରାୟ ୩ କୋଟି ଲୋକ କଟକଣା ମାନି ଘର ଭିତରେ ବନ୍ଦୀ ରହିଛନ୍ତି । ଭାରତରେ ତୃତୀୟ ଲହର ବେଳେ ଓମିକ୍ରନ ସଂକ୍ରମଣ ବଢ଼ାଇଥିବା ବେଳେ ଏବେ ଚୀନରେ ଚିନ୍ତା ବଢ଼ାଇଛି ।
୨୦୨୦ରେ ଚୀନର ଉହାନ ସହରରୁ କରୋନା ବ୍ୟାପିବା ଆରମ୍ଭ ହୋଇଥିଲା । ଶୂନ୍ୟ କୋଭିଡ ନୀତି ଆପଣେଇ କଠୋର ପଦକ୍ଷେପ ନେଇଥିଲା ଚୀନ୍ । ହେଲେ ଏବେ ବଢ଼ୁଥିବା ସଂକ୍ରମଣ ଏହି ନୀତି ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ।
ବରିଷ୍ଠ ଚିକିତ୍ସକ ଡାକ୍ତର ନୀରୋଜ ମିଶ୍ରଙ୍କ ମତ ହେଲା, ଚୀନର ଜିରୋ କୋଭିଡ ନୀତି ପାଇଁ ଏବେ ସେଠାକାର ଲୋକ ହଇରାଣ ହେଉଛନ୍ତି । ଆଗରୁ ଯେଉଁଠି ପଜିଟିଭ୍ ବାହାରୁଥିଲେ, ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଉଥିଲା । ହେଲେ ଏବେ ଅଧିକ ସଂକ୍ରାମକ ଓମିକ୍ରନ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି ।
ଚୀନରେ ବଢ଼ୁଥିବା ସଂକ୍ରମଣ ଭାରତ ପ୍ରତି ବିପଦ ଆଣିବ କି ? ଏହି ପ୍ରଶ୍ନର ଉତ୍ତରରେ ବିଶେଷଜ୍ଞଙ୍କ କହିବା କଥା ହେଲା, ଯେହେତୁ ଭାରତରେ ତୃତୀୟ ଲହର ବେଳେ ବିଏଟୁ ଭାରିଏଣ୍ଟ ବ୍ୟାପିଥିଲା, ତେଣୁ ଚୀନରେ ବଢ଼ୁଥିବା ସଂକ୍ରମଣ ଭାରତରେ ପ୍ରଭାବ ପକାଇବାର ଆଶଙ୍କା କମ୍ ।