ଥମୁନି କରୋନାର ପ୍ରକୋପ: ଦିନକରେ ଦେଶରେ ୧୪ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୫ ମୃତ; ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୫ ହଜାର ପାର୍, ମୃତ୍ୟୁ ସଂଖ୍ୟା ୧୩ ହଜାର ୬୯୯କୁ ବୃଦ୍ଧି

337

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର କାୟା । ଗତ ୨୪ ଘଂଟା ମଧ୍ୟରେ ୧୪ ହଜାର ୮୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୫ ଜଣଙ୍କ ଜୀବନ ନେଇଛି କୋଭିଡ-୧୯ ଭୁତାଣୁ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୫ ହଜାର ୨୮୨କୁ ବୃଦ୍ଧି ପାଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାର ୬୯୯ରେ ପହଂଚିଛି ।

ଭୟ ବଢାଉଛି କରୋନା । ଦେଶରେ ଗତ ୨୪ ଘଂଟାରେ ୪୪୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ୨୪ ଘଂଟାରେ ୧୪ ହଜାର ୮୨୧ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୪୪୦ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ମୋଟ ୪ଲକ୍ଷ ୨୫ ହଜାର ୨୮୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଲକ୍ଷ ୩୭ ହଜାର ୧୯୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେ ୧ ଲକ୍ଷ ୭୪ ହଜାର ୩୮୭ ଆକ୍ଟିଭ କେସ ରହିଛି ।

ଗତ ୨୪ ଘଂଟାରେ ୪୪୫ ଜଣଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତି ମୃତ୍ୟୁ ସଂଖ୍ୟା ୧୩ ହଜାର ୬୯୯କୁ ଛୁଇଁଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସ୍ପଷ୍ଟ କରିଛି । ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୩ହଜାର ୮୭୦ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ୨୪ ଘଂଟାରେ କେବଳ ମହାରାଷ୍ଟ୍ରରେ ୧୮୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୫ଶହ ୯୧ ସଂକ୍ରମିତ । ମହାରାଷ୍ଟ୍ରରେ ଏବେ ୧ଲକ୍ଷ ୩୨ହଜାର ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ମୃତ୍ୟୁ ସଂଖ୍ୟା ୬ ହଜାର ୧୭୦କୁ ଛୁଇଁଛି ।