ଗୁରୁବାର ଗୋଟିଏ ଦିନରେ କରୋନା ଟିକା ନେଲେ ୧୦ ଲକ୍ଷ ୯୦ ହଜାର ଲୋକ : ସାଢେ ୪ ଲକ୍ଷରୁ ଅଧିକ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଗଲା ଟିକା

 ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ୭୫ ହଜାର ଲୋକ ନେଇଛନ୍ତି ଟିକା; ଏଯାଏ ଟିକା ନେଲେଣି ୧ କୋଟି ୮୦ ଲକ୍ଷ

71

କନକ ବ୍ୟୁରୋ : ଗତ ୨ ଦିନରେ ଦେଶରେ କରୋନା ଟିକାକରଣ ତ୍ୱରାନ୍ୱିତ ହୋଇଛି । ଗତକାଲି ଗୋଟିଏ ଦିନରେ ସାରାଦେଶରେ ପ୍ରାୟ ୧୦ ଲକ୍ଷ ୯୦ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତକାଲି ସଂଧ୍ୟା ୭ଟା ସୁଦ୍ଧା ୧୦ ଲକ୍ଷ ୯୦ ହଜାର ଲୋକ କରୋନା ଟିକା ନେଇଛନ୍ତି । ୪ ଲକ୍ଷ ୯୦ ହଜାର ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଗୁରୁବାର ଟିକା ଦିଆଯାଇଥିବାବେଳେ ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ୭୫ ହଜାର ୧୪୭ ଜଣଙ୍କୁ ଟିକା ଦିଆଯାଇଛି ।

ସେହିପରି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ମଧ୍ୟ ଚାଲୁ ରହିଛି । ବୁଧବାର ମଧ୍ୟ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା । ଘରୋଇ ହସ୍ପିଟାଲଗୁଡିକୁ ଟିକାକରଣ ପାଇଁ ସରକାର ଅନୁମତି ଦେବା ପରେ ଟିକାଦାନ ପ୍ରକ୍ରିୟା ବୃଦ୍ଧି ହୋଇଥିବା କୁହାଯାଉଛି । ଏପର୍ଯ୍ୟନ୍ତ ସାରାଦେଶରେ ୧ କୋଟି ୮୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି ।