ଏ କେମିିତିକା ସଂପର୍କ ? ସ୍ୱାମୀଙ୍କ ମୃତଦେହ ଧରି କାନ୍ଦିବା ବେଳେ ଟଳିପଡିଲେ ସ୍ତ୍ରୀ

433

କନକ ବ୍ୟୁରୋ : ଏ ସଂପର୍କ ସାତ ଜନ୍ମର । ଏ କଥା ବୋଧ ହୁଏ ଏହି ଦମ୍ପତିଙ୍କ ପାଇଁ ଲେଖା ହୋଇଥିଲା । ଗୋଟିଏ ବେଦୀରେ ହୋମ ନିଆଁକୁ ସାକ୍ଷୀ ରଖି ଏକାଠି ହୋଇଥିଲେ । ଠିକ୍ ସେମିତି ଗୋଟିଏ ଜୁଇ ନିଆଁରେ ଜଳି ପାଉଁଶ ହୋଇଗଲେ ସ୍ୱାମୀ-ସ୍ତ୍ରୀ । ହାତ ଧରା ଧରି ହୋଇ ସଂସାର ରାସ୍ତାରେ ଏକାଠି ଆଗକୁ ବଢୁଥିଲେ । ହାତ ଧରା ଧରି ହୋଇ ଏକାଠି ମୃତ୍ୟୁ ଶଯ୍ୟାରେ ସବୁ ଦିନ ପାଇଁ ଶୋଇଗଲେ । ଆଉ ଦୁହିଁଙ୍କୁ ଏକାଠି ଗୋଟିଏ ଜୁଇରେ ଜଳି ଶେଷକୃତ୍ୟ ସଂପନ୍ନ କରିଛନ୍ତି ସଂପର୍କୀୟ । ମାଲକାନଗିରି ଜିଲ୍ଲା ବାଲିମେଳାରୁ ଆସିଛି ଏହି ହୃଦୟ ବିଦାରକ ଦୃଶ୍ୟ । ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ ୧୨ ନଂ ୱାର୍ଡ ହରି କୁଲଦୀପଙ୍କ ପତ୍ନୀ କମଳା କୁଲଦୀପ୍ ଦିର୍ଘ ଦିନ ଧରି ଅସୁସ୍ଥ ରହୁ ଥିବା କାରଣ ରୁ ଚିନ୍ତା ରେ ରହୁ ଥିଲେ ହରି । ଗତ କାଲି କମଳା କୁଲଦୀପ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆସି ଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଥିଲେ   । ସ୍ୱାମୀଙ୍କ ଶବକୁ ଧରି ବାହୁନି ବାହୁନି କାନ୍ଦୁ ଥିବା ବେଳେ ଟଳିପଡିଥିଲେ ସ୍ତ୍ରୀ କମଳା କୁଲଦୀପ । କମଳାଙ୍କ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ବାଲିମେଳା ନଗର ବାସୀ ଓ ସମ୍ପର୍କୀୟମାନେ ଉଭୟ ୫୭ ବର୍ଷୀୟ ହରି ଓ ତାଙ୍କ ପତ୍ନୀ କମଳାଙ୍କ ଶେଷ କୃତ୍ୟ ସମ୍ପନ୍ନ କରି ଉଭୟଙ୍କୁ ଗୋଟିଏ ଜୁଇରେ ଏକାଠି ଜାଳି ଥିଲେ । ବାଲିମେଳାର ଏହି ଘଟଣାକୁ ନେଇ ଏବେ ଜିଲ୍ଲା ବ୍ୟାପି ଚର୍ଚା ଲାଗି ରହିଛି । ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ଯେ କେତେ ନିବିଡ ତାକୁ ନେଇ ସମସ୍ତଙ୍କ ମୁହଁରେ ଆଲୋଚନା ହେଉଛି ।