ଚେନ୍ନାଇର ପ୍ରବଳ ବର୍ଷା : ଦୁଇଦିନ ସ୍କୁଲ କଲେଜ ଛୁଟି, ଜନଜୀବନ ଅସ୍ତବ୍ୟସ୍ତ

Advertisment
ଚେନ୍ନାଇର ପ୍ରବଳ ବର୍ଷା : ଦୁଇଦିନ ସ୍କୁଲ କଲେଜ ଛୁଟି, ଜନଜୀବନ ଅସ୍ତବ୍ୟସ୍ତ

ତାମିଲନାଡ଼ୁରେ ଶନିବାର ରାତିସାରା ପ୍ରବଳ ବର୍ଷା ଲାଗି ରହିଥିବାରୁ ରାସ୍ତାଘାଟ ଜଳମଗ୍ନ ହୋଇଛି । ଲୋକଙ୍କ ଘରେ ବର୍ଷା ପାଣି ପଶିଯିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ୮ଟା ସୁଦ୍ଧା ୨୧ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ସକାଳେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା । ଗତକାଲି ଦିନସାରା ବର୍ଷା ଲାଗି ରହିଛି ।

ପ୍ରବଳ ବର୍ଷା ହେବାରୁ ସହରର ନିମ୍ନାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଚେନ୍ନାଇର ମଦିପକ୍କମ ନିକଟସ୍ଥ ପୁଜିଥିୱାକ୍କମ୍‌ରେ ଥିବା କେତେକ ଆପାର୍ଟମେଣ୍ଟର ପାର୍କିଂ ଏରିଆରେ ୪ ଫୁଟର ବର୍ଷାପାଣି ଜମି ରହିଛି । ଫଳରେ କାର୍‌ଗୁଡ଼ିକ ପାଣିରେ ବୁଡ଼ି ରହିଛି । ଦୁଇଚକିଆ ଯାନ ଚାଲିବା ଅବସ୍ଥାରେ ନାହିଁ । କେ କେ ନଗର ଅଞ୍ଚଳର ବାସିନ୍ଦା ପାଣି ଭିତରେ ରହିଛନ୍ତି । ଆଣ୍ଠୁଏ/ଅଣ୍ଟାଏ ଉଚ୍ଚର ବର୍ଷାପାଣି ଜମିରହିବା ଫଳରେ ଅଧା କାମ ହୋଇଥିବା ସ୍ବେରେଜ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି । କେତେକ ସ୍ଥାନରେ ଡ୍ରେନ୍‌ ଜାମ୍ ହେବା ଫଳରେ ବର୍ଷାପାଣି ନିଷ୍କାସନ ହୋଇପାରୁ ନାହିଁ। ବର୍ଷା ଲାଗି ରହିଥିବାରୁ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ଲୋକେ ପିଇବା ପାଇଁ ପାଣି ପାଉ ନାହାନ୍ତି ।

ତାମିଲନାଡ଼ୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ଲାଗି ରହିଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ଓ ଅନ୍ୟ ୩ଟି ଜିଲ୍ଲାର ସ୍କୁଲ ଏବଂ କଲେଜଗୁଡ଼ିକୁ ଆଗାମୀ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଭୀଷଣ ବର୍ଷା ଚେତାବନୀ ଦିଆଯିବା ପରେ ଚେନ୍ନାଇ, ତିରୁବଲ୍ଲୁର, ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ୍‌ ଆଦି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଛୁଟି କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜରୁରୀକାଳୀନ ସେବା ପାଇଁ ମଦୁରାଇ ଏବଂ କୁଡ୍ଡାଲୋର୍‌ ଜିଲ୍ଲାରେ ‘ଏନ୍‌ଡିଆର୍‌ଏଫ୍‌’ର ୪ଟି ଟିମ୍‌ ମୁତୟନ କରାଯାଇଛି । ରବିବାର ସକାଳ ଠାରୁ ୪୪ଟି ଥଇଥାନ କେନ୍ଦ୍ରରେ ୫୦,୦୦୦ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି । ଆଗାମୀ ୩ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଥିବାରୁ ଗସ୍ତ ଯୋଜନା ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଷ୍ଟାଲିନ୍‌ଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା କରି ରାଜ୍ୟବାସୀଙ୍କ ପାଇଁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe