ପ୍ଲାଜମା ଦେଲେ ୪ ଏନଡିଆରଏଫ ଯବାନ: କରୋନା ଲଢେଇରେ ଜିତିବା ପରେ ପ୍ଲାଜମା ଦାନ କଲେ କୋଭିଡ୍ ଯୋଦ୍ଧା; କହିଲେ, ଜୀବନ ଦାନ କରିବା ଆମର କର୍ତ୍ତବ୍ୟ

ଗତକାଲି ପ୍ଲାଜମା ନେଇଥିବା ୬ରୁ ୪ଜଣ ଗୁରୁତର ଆକ୍ରାନ୍ତ ରୋଗୀ ଅଛନ୍ତି ସୁସ୍ଥ, ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

388

କନକ ବ୍ୟୁରୋ: ରାଜ୍ୟରେ ପ୍ଲାଜମା ଥେରାପିର ପ୍ରୟୋଗ ଅନେକାଂଶରେ ସଫଳ ହୋଇଛି । ଯେଉଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରାଯାଇଥିଲା ସେମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏଭଳି କ୍ଷେତ୍ରରେ ଏନଡିଆରଏଫର ୪ ଜଣ ଯବାନ କଟକ ବଡ ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି । କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇ ଏହି ଯବାନ ମାନେ ସୁସ୍ଥ ହୋଇଥିଲେ । ବାତ୍ୟା ସମୟରେ ପଶ୍ଚିମବଙ୍ଗ ଯାଇ ଏହି ଯବାନ କରୋନା ଆକ୍ରାନ୍ତ ହୋଇଥିଲେ । ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ଏହି ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା ।

ଏମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଖୁବଶୀଘ୍ର ଘରୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବାକୁ ଯାଉଛନ୍ତି । ସେମାନଙ୍କ ପାଇଁ ଆଉ ଅକ୍ସିଜେନ ସପୋର୍ଟର ଆବଶ୍ୟକତା ମଧ୍ୟ ପଡୁନାହିଁ । ଅନ୍ୟ ଦୁଇଜଣ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଖୁବଶୀଘ୍ର ସେମାନେ ବିପଦମୁକ୍ତ ହେବେ ବୋଲି ଆଶା କରାଯାଉଛି । ୪ ଜଣଙ୍କଠାରୁ ୮ ୟନିଟ ପ୍ଲାଜମା ସଂଗ୍ରହ କରାଯାଇଥିଲା । ଏହି ପ୍ଲାଜମାକୁ ସମ୍ ହସ୍ପିଟାଲର ୪ଜଣ ରୋଗୀ ଓ ଅଶ୍ୱିନୀର ୨ଜଣ ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥିଲା । ଓଡିଶା ସମେତ ଦେଶର କିଛି ହାତ ଗଣତି ରାଜ୍ୟରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି ।

ସେପଟେ, କରୋନାକୁ ହରାଇଲେ କରୋନା ଯୋଦ୍ଧା । ସୁନ୍ଦରଗଡରେ ସୁସ୍ଥ ହେଲେ ୩୪ ଜଣ କରୋନା ସଂକ୍ରମିତ ପୁଲିସ କର୍ମଚାରୀ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ । ଗତକାଲି ସମସ୍ତ ୩୪କରୋନା ଯୋଦ୍ଧାଙ୍କୁ ସୁନ୍ଦରଗଡ ଏନଟିପିସି କୋଭିଡ କେୟାର ସେଂଟରରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମୟରେ ସୁନ୍ଦରଗଡ ଉପଜିଲ୍ଲାପାଳ, ସଦର ବିଡିଓ କରୋନା ଯୋଦ୍ଧାଙ୍କୁ ଫୁଲ ଓ ଚକଲେଟ ଦେଇ ବିଦାୟ ଦେଇଥିଲେ । ସୁନ୍ଦରଗଡରେ ଦୁଇଜଣ ଡିଏସପି, ଜଣେ ଇନସ୍ପେଟରଙ୍କ ସମେତ ୪୧ଜଣ ପୁଲିସ କର୍ମଚାରୀ ପଜିଟିଭ ବାହାରିଛନ୍ତି ।