କଳିଙ୍ଗରେ କମାଲ କଲା ଟିମ୍ ଇଣ୍ଡିଆ । ମହିଳାଙ୍କ ପରେ ପୁରୁଷ ହକି ଟିମ ହାତେଇଲା ୨୦୨୦ ଟୋକିଓ ଅଲମ୍ପିକ୍ସ ଟିକେଟ, ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

331

କନକ ବ୍ୟୁରୋ : ମହିଳାଙ୍କ ପରେ ପୁରୁଷ ଦେଖାଇଲେ ଜଲୱା । ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ । କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ ସହ ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଲଲିତ ଓ ରୂପିନ୍ଦର ୨ଟି ଲେଖାଏଁ ଗୋଲ କରିଥିବା ବେଳେ ଆକାଶଦୀପ, ନୀଳକାନ୍ତ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିଭଳି ହୋମଗ୍ରାଉଣ୍ଡରେ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଲ ଦେଇ ଦର୍ଶକଙ୍କ ମନ ଜିଣିଥିଲେ । ପ୍ରଥମରୁ ଆକମ୍ରଣାତ୍ମକ ଷ୍ଟାଇଲରେ ଖେଳ ଆରମ୍ଭ କରିଥିବା ଭାରତ ଚତୁର୍ଥ କ୍ୱାର୍ଟର ଶେଷରେ ୭-୧ ଗୋଲରେ ଏହି ମ୍ୟାଚକୁ ବାଜି ମାରିନେଇଥିଲା ।

ଏହାପୂର୍ବରୁ ଟୋକିଓ ଅଲମ୍ପିକ ଟିକେଟ ହାତେଇଥିଲା ଭାରତୀୟ ମହିଳା ହକି ଦଳ । ଅଲମ୍ପିକ ହକି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ଆମେରିକା ଠାରୁ ୪-୧ ଗୋଲରେ ପରାସ୍ତ ହେବା ସତ୍ତେ୍ୱ ମଧ୍ୟ ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଛି ଭାରତୀୟ ମହିଳା ହକି ଟିମ୍ । ଅଧିକ ଗୋଲ ବ୍ୟବଧାନ ଆଧାରରେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା ହକି ଟିମ୍ । ଯୋଗ୍ୟତା ପର୍ଯ୍ୟାୟର ୨ଟି ମ୍ୟାଚରେ ଆମେରିକା ୬ଟି ଗୋଲ କରିଥିବା ବେଳେ ଆମେରିକା ୫ଟି ଗୋଲ୍ ଦେଇ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡିଛି । ଏହାସହ ତୃତୀୟ ଥର ପାଇଁ ଅଲମ୍ପିକ୍ସରେ ଜଲୱା ଦେଖାଇବ ଭାରତୀୟ ହକି ଟିମ୍ ।

ଏହାପୂର୍ବରୁ ଗତକାଲି ଆମେରିକା ମହିଳା ହକି ଦଳକୁ ୫-୧ ଗୋଲରେ ମାତ୍ ଦେଇଥିଲା ଭାରତ । ଆଜି ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ଥିବା ବେଳେ ଭାରତ ଏହି ବାଜି ଜିତି ନେଇଛି । ଏହାପୂର୍ବରୁ ଅଲମ୍ପିକ୍ସରେ ସ୍ଥାନ ପକ୍କା କରିଥିବାରୁ ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।