ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଭାରତୀୟ ସେନାର ବଡ ଧରଣର ଆକ୍ରମଣ: ଲଂଚପ୍ୟାଡ ଓ ଗୋଳାବାରୁଦ ଭଣ୍ଡାରକୁ ଉଡାଇ ଦେଲେ ଭାରତୀୟ ଯବାନ

ସାମ୍ନାକୁ ଆସିଲା ଅପରେସନ ସମୟର ଭିଡିଓ

1,743

କନକ ବ୍ୟୁରୋ: ଏଲଓସି ବା ନିୟନ୍ତ୍ରଣ ରେଖା ପାଖ ଆତଙ୍କବାଦୀଙ୍କ ଲଂଚପ୍ୟାଡ ଉପରେ ଭାରତୀୟ ସେନା ବଡ ଧରଣର ଆକ୍ରମଣ କରିଛି । ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଲଂଚ ପ୍ୟାଡ ଓ ଗୋଳାବାରୁଦ ଭଣ୍ଡାରକୁ ଉଡାଇ ଦେଇଛି । ଏଥିରେ ଶତ୍ରୁପକ୍ଷଙ୍କ ବିପୁଳ କ୍ଷତି ହୋଇଥିବା କୁହାଯାଉଛି । କୁପୱାଡା କ୍ୟାରେନ ସେକ୍ଟରରେ ପହରା ଦେଉଥିବା ଯବାନଙ୍କ ଉପରେ ଗୁଳି ମାଡ କରିଥିଲେ ପାକିସ୍ତାନୀ ରେଞ୍ଜର୍ସ । ଆଉ ଭାରତୀୟ ଯବାନ ପାକ୍ ସେନାକୁ ମୁହଁତୋଡ ଜବାବ ଦେବା ସହ ଆତଙ୍କୀ ଲଂଚପ୍ୟାଡକୁ ଟାର୍ଗେଟ କରି ହମଲା କରିଥିଲେ ।

ଗତକାଲି ସଂଧ୍ୟା ୬ଟା ଯାଏଁ ଉଭୟ ପଟୁ ଗୁଳି ମାଡ ଜାରି ରହିଥିବା ସୂଚନା ମିଳିଛି । ଭାରତୀୟ ଯବାନ ୧୦୫ ଏମଏମର ଫିଲଡ ଗନ, ୧୫୫ ବୋଫର୍ସ ତୋପରେ ଆକ୍ରମଣ କରି ଲଂଚପ୍ୟାଡକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ପାକିସ୍ତାନ ସୈତାନୀ କାରବାର ଚଳାଇବାକୁ ସୁଯୋଗ ଉଣ୍ଡୁଛି । ଲଂଚପ୍ୟାଡରେ ଥିବା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ପାକ ସେନା ଭାରତୀୟ ଯବାନଙ୍କ ଉପରେ ହମଲା କରିଥିଲେ । ହେଲେ ଭାରତୀୟ ଯବାନଙ୍କ ଭୟଙ୍କର ପାଲଟା ଆକ୍ରମଣ ଶତ୍ରୁପକ୍ଷର ନିଦ ହଜାଇ ଦେଇଛି ।