ଦେଶରେ ବଢୁଛି କରୋନା ସଂକ୍ରମଣ : ଚିନ୍ତା ପ୍ରକଟ କଲେଣି କେନ୍ଦ୍ର ସରକାର; ସଂକ୍ରମଣ ଯାଞ୍ଚ ପାଇଁ ୧୦ ରାଜ୍ୟକୁ ଉଚ୍ଚସ୍ତରୀୟ ଟିମ୍ ପଠାଇଲା କେନ୍ଦ୍ର

202

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । କାହିଁକି ଦେଶରେ ହଠାତ୍ ବଢିଛି ସଂକ୍ରମଣ ଯାଂଚ କରିବାକୁ ୧୦ଟି ରାଜ୍ୟକୁ ଉଚ୍ଚ ସ୍ତରୀୟ ଟିମ୍ ପଠାଇଛନ୍ତି କେନ୍ଦ୍ର ସରକାର । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜରାଟ, ପଂଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଜାମ୍ମୁକାଶ୍ମୀରକୁ ଏହି ଉଚ୍ଚସ୍ତରୀୟ ଟିମ୍ ଗସ୍ତ କରିଛନ୍ତି । ଏହି ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଶାସନ ସହିତ ମିଶି ଏହି ଉଚ୍ଚସ୍ତରୀୟ ଟିମ୍ କୋଭିଡ ୧୯ର ବଢୁଥିବା ସଂକ୍ରମଣକୁ ନେଇ ତଥ୍ୟ ସଂଗ୍ରହ କରିବ । ଏହା ସହିତ ବଢୁଥିବା କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ମଧ୍ୟ କଣ ପଦକ୍ଷେପ ନିଆଯାଉଛି , ସେ ଦିଗରେ ବି କାମ କରିବ ଏହି ଟିମ୍ ।

ବର୍ତମାନ ଦେଶରେ ମୋଟ୍ ସଂକ୍ରମଣ ଦେଢ ଲକ୍ଷ ତଳେ ରହି ଆସୁଛି । ତେବେ ଚଳିତ ମାସ ଆରମ୍ଭରୁ ମହାରାଷ୍ଟ୍ରରେ ହଠାତ୍ ବଢି ଯାଇଛି ସଂକ୍ରମଣ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ପଂଜାବ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଦିଲ୍ଲୀ ଏବଂ ହରିୟାଣାରେ ପ୍ରତ୍ୟକ ଦିନ ୧୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଏହା ମଧ୍ୟରୁ କେରଳ ଏବଂ ମହାରାଷ୍ଟ୍ରରେ କେବଳ ଦୈନିକ ୪ ହଜାରରୁ ଅଧିକ ମାମଲା ଆସୁଛି ।

ମହାରାଷ୍ଟ୍ର, କେରଳ ଏବଂ ତେଲେଙ୍ଗାନାରେ ବଢୁଥିବା ସଂକ୍ରମଣ ଅଧିକ ଚିନ୍ତା ବଢାଇଛି । କାରଣ ଏଠାରେ ଦେଖା ଦେଇଥିବା ନ୍ୟୁ ଷ୍ଟ୍ରେନ୍ ବଢୁଥିବା ସଂକ୍ରମଣର ସହିତ କୌଣସି ସଂପର୍କ ନଥିବା ଅନୁସନ୍ଧାନରୁ ଜଣାପଡିଛି । ଏପରି ସ୍ଥିତିରେ କେଉଁ କାରଣରୁ ଦେଶର ୧୨ ରାଜ୍ୟରେ ହଠାତ୍ ବଢୁଛି କରୋନା ସଂକ୍ରମଣ, ତାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।