ବାରବାଟୀରେ ହେବ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ ! ଡିସେମ୍ବର ୧୪ରୁ ଆରମ୍ଭ ହେବ ଟିକେଟ ବିକ୍ରି, ଷ୍ଟାଡିୟମ ଭିତରକୁ ପାଣି ବୋତଲ ମନା
କନକ ବ୍ୟୁରୋ: ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ କେନ୍ଦ୍ରାଂଚଳ ଆରଡିସି ଡିଭି ସ୍ୱାମୀ ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ଟିକେଟ ଦର ଅପରିବର୍ତ୍ତିତ ରଖାଯାଇଛି । ମୋଟ ୩୨ ହଜାର ୪୦୩ ଟିକେଟ ଛପାଯିବ ଓ ଡିସେମ୍ବର ୧୪ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ୨ ଦିନ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ସକାଳ ୧୦ ଟାରୁ ସଂଧ୍ୟା ୬ଟା ଯାଏଁ ଓସିଏ କନଫରେନ୍ସ ହଲରେ ଟିକଟ ବିକ୍ରି କରାଯିବ । ପରେ ୧୬ ଓ ୧୭ ତାରିଖରେ ସକାଳ ୯ରୁ ସଂଧ୍ୟା ୫ଟା ଯାଏଁ ତିନିଟି କାଉଂଟରରୁ ଟିକଟ କିଣି ପାରିବେ ଦର୍ଶକ । ଅନଲାଇନ ଟିକଟ ବିକ୍ରି ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ସେହିପରି ୩ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଟିକଟ ଲାଗୁହେବ ନାହିଁ ବୋଲି ଜଣାପଡିଛି । ଷ୍ଟାଡିୟମ ଭିତରକୁ ପାଣି ବୋତଲ ସଂପୂର୍ଣ୍ଣ ମନା ହୋଇଛି । ସେହିପରି ହେଲମେଟ, ବୈଦ୍ୟୁତିକ ଉପକରଣ, କାଚ, ବାଣ, ଦର୍ପଣକୁ ବାରଣ କରାଯାଇଛି ।
ସୂଚନା ମୁତାବକ, ଡିସେମ୍ବର ୨୦ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ଆନ୍ତର୍ଜାତିକ ଟି-୨୦ ପାଇଁ ସୋମବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଡିଭି ସ୍ୱାମୀ ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରିଛନ୍ତି । ମ୍ୟାଚ ପାଇଁ ଚଳିତ ବର୍ଷ ଟିକେଟ ଦର ଅପରିବର୍ତ୍ତିତ ରଖାଯାଇଛି । ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ସମୟରେ ଧାର୍ଯ୍ୟ ମୂଲ୍ୟରେ ଏଥର କୌଣସି ପରିବର୍ତ୍ତନ କରାଯାଇନାହିଁ । ଗ୍ୟାଲେରୀ ନମ୍ବର ୧ ଓ ୩କୁ ୬୦୦ ଟଙ୍କା, ୨ ଓ ୪କୁ ୫୦୦ ଟଙ୍କା, ୬ ଓ ୭କୁ ୪୦୦ ଟଙ୍କା ଓ ୬ ନମ୍ବର ଗ୍ୟାଲେରୀର ଖେଳାଳିଙ୍କ ରିହାତି ପାଇଁ ୨୦୦ ଟଙ୍କା ଟିକେଟ ଦର ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ ସ୍ପେଶାଲ ଏନକ୍ଲୋଜୋର ୩ହଜାର, ନିଉ ପାଭିଲିଅନ୍ ୫ହଜାର, ଏସି ବକ୍ସ (୪ନମ୍ବର ଗ୍ୟାଲେରୀ) ୫ହଜାର ଓ କର୍ପୋରେଟ ବକ୍ସ ୮ହଜାର ଟଙ୍କାରେ ଟିକେଟ ବିକ୍ରି କରାଯିବ।
ଡିସେମ୍ବର ୧୪ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହେବ। ମୋଟ ୩୨,୪୦୩ ଟିକେଟ ଛପାଯିବ । ସେଥିମଧ୍ୟରୁ ୨୨,୦୪୧ ଟିକେଟ ସାଧାରଣ ଲୋକଙ୍କ ପାଇଁ ଏବଂ ୧୦,୩୬୨ ଟିକେଟ ବିସିସିଆଇ ପ୍ରାୟୋଜକ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ଉଦ୍ଧିଷ୍ଟ । ପ୍ରଥମ ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାମାନଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଓସିଏ କନ୍ଫରେନ୍ସ ହଲ୍ରେ ଟିକେଟ ବିକ୍ରି ହେବ । ବଳକା ଟିକେଟ ଗୁଡ଼ିକ ୧୬ ଓ ୧୭ ତାରିଖରେ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ତିନୋଟି କାଉଣ୍ଟରରେ ବିକ୍ରି କରାଯିବ । ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାର୍କୋଡ୍ ଓ ହୋଲୋଗ୍ରାମ୍ ରହିବ। ଅନଲାଇନ୍ ଟିକେଟ ବିକ୍ରି ପାଇଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବୈଠକରେ କୁହାଯାଇଛି ।
୩ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାମାନଙ୍କ ପାଇଁ ଟିକେଟ ଲାଗୁ ହେବ । ପ୍ରତ୍ୟେକ ଦର୍ଶକ ଦୁଇଟି ଟିକେଟ କିଣିପାରିବେ । କୌଣସି ବୈଦ୍ୟୁତିକ ଉପକରଣ, କାଚ, ବାଣ, ଦର୍ପଣ, ହେଲମେଟ୍ ଇତ୍ୟାଦି ଷ୍ଟାଡିୟମ ଭିତରକୁ ନେବାପାଇଁ ବାରଣ କରାଯାଇଛି । କୌଣସି ପ୍ରକାରର ଫିଙ୍ଗାଯାଇପାରୁଥିବା ଭଳି ସାମଗ୍ରୀକୁ ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଛି । ପାଣି ବୋତଲ କିମ୍ବା ପାଉଚକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି । କୌଣସି ସାମ୍ପ୍ରଦାୟିକବାଦ ଭେଦଭାବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଷ୍ଟାଡିୟମରୁ ବାହାର କରିଦିଆଯିବ ଏବଂ ଆବଶ୍ୟକ ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସିସି କ୍ୟାମେରା ଲଗାଯିବ। ଦିନ ୩ଟାରୁ ପ୍ରବେଶ ଗେଟ୍ ଖୋଲାଯିବ। ୧୪ଟି ଗେଟ୍ ଦେଇ ଦର୍ଶକ ମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ।
ଖେଳାଳି, ମ୍ୟାଚ ପରିଚାଳନା ଅଧିକାରୀ, ବିସିସିଆଇ କର୍ମକର୍ତ୍ତାଙ୍କ ରହିବା ପାଇଁ ହୋଟେଲ୍ ମେ ଫେୟାରରେ ୮୦ରୁ ଉର୍ଦ୍ଧ୍ୱ ରୁମ୍ ବୁକ୍ କରାଯାଇଛି । ମ୍ୟାଚ ପାଇଁ ମୋଟ ୨୦ କୋଟି ଟଙ୍କାର ବୀମା କରାଯାଇଛି। ସେଥିମଧ୍ୟରୁ ଅଗ୍ନି ନିରାପତ୍ତା ଓ ଅନ୍ୟାନ୍ୟ ବିପଦଜ୍ଜନକ ସ୍ଥିତି ପାଇଁ ୮କୋଟି, ସାଧାରଣ ଦର୍ଶକଙ୍କ ପାଇଁ ୭ କୋଟି ଏବଂ ସ୍ୱତନ୍ତ୍ର ଜରୁରିକାଳୀନ ବୀମା ପାଇଁ ୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ବାଲିଯାତ୍ରା ପଡ଼ିଆ, କ୍ରିକେଟ ଏକାଡେମୀ, କେମ୍ବ୍ରିଜ୍ ସ୍କୁଲ୍, ସେଣ୍ଟ ଜାଭିୟର୍ସ ସ୍କୁଲ୍ ପରିସରରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଭିତରେ ୪ଟି ଦମକଳ ବାହିନୀ ୟୁନିଟ୍ ନିୟୋଜିତ ରହିବେ ।
ଏହାଛଡ଼ା ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରତ୍ୟେକ ସ୍ଥାନର ରଖାଯିବ । ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ କେତେକ ଘରୋଇ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବାକୁ ବ୍ୟବସ୍ଥା କରାଯାଇଛି । ତେବେ ସେଗୁଡ଼ିକୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ସ୍ୱୀକୃତି ଦେବା ପରେ ତାହାକୁ ଷ୍ଟାଡିୟମରେ ଲଗାଯିବ ବୋଲି ଆର୍ଡିସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗ୍ୟାଲେରୀରେ ଦର୍ଶକଙ୍କୁ ଦିଆଯିବାକୁଥିବା ପାଣିର ମାନ ମଧ୍ୟ ଯାଞ୍ଚ କରିବାକୁ ସିଡିଏମଓ ଓ ପିଏଚଡିକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଥର ଭୁବନେଶ୍ୱରରୁ ଦୁଇଟି ରାସ୍ତା ଦେଇ କଟକକୁ ଗାଡ଼ି ଚଳାଚଳ କରିବ । ତେଣୁ ଏହାପୂର୍ବରୁ ରାସ୍ତା ଆଲୋକୀକରଣ, ମରାମତି ଇତ୍ୟାଦି କାମ ଶେଷ କରିବାକୁ ସିଏମସି ଓ ପିଡବ୍ଲୁଡିକୁ କୁହାଯାଇଛି । ଦର୍ଶକମାନଙ୍କ ପାଇଁ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ବସ୍ ସୁବିଧା କରାଯିବ ।
ଅନ୍ୟପକ୍ଷରେ ଦର୍ଶକଙ୍କ ବ୍ୟବହାରିକ ଆଚରଣକୁ ଶୃଙ୍ଖଳିତ କରିବା ପାଇଁ ଓସିଏ ସଚେତନତା ଅଭିଯାନ ସୃଷ୍ଟି କରୁ ବୋଲି ପରିଚାଳନା ସମିତିର ସଦସ୍ୟମାନଙ୍କୁ ଆରଡିସି ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଆରଡିସିଙ୍କ ବ୍ୟତୀତ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ, ବାରବାଟୀ କଟକ ବିଧାୟକ ତଥା ମ୍ୟାଚ ଆୟୋଜନ ସମିତି ଅଧ୍ୟକ୍ଷ ଦେବାଶିଷ ସାମନ୍ତରାୟ, ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲ୍ଲେଇ, ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ, ଜନାର୍ଦ୍ଦନ ଦାସ, ଜିଲ୍ଲା ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।