କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଓଡିଶାର ଆଦିବାସୀ ନେତା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ବିଜେପି ନେତୃତାଧୀନ ଏନଡିଏ ମେଣ୍ଟ । ଏନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବିରୋଧୀ ଦଳମାନେ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ବୈଠକ ବସିଥିଲା । ପାର୍ଟି ମୁଖ୍ୟାଳୟରେ ସଂସଦୀୟ ବୋର୍ଡର ସଦସ୍ୟମାନେ ବିଭିନ୍ନ ନାମକୁ ନେଇ ଚର୍ଚ୍ଚା କରିଥିଲେ । ନଡ୍ଡାଙ୍କ କହିବା ମୁତାବକ ପ୍ରାୟ ୨୦ଟି ନାମକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲା । ଆଉ ଶେଷରେ ସଂସଦୀୟ ବୋର୍ଡ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ମାରିଥିଲା ।
ଜାଣି ରଖିବା ଉଚିତ୍ ଯେ, ଦ୍ରୌପଦୀ ମୁର୍ମୁଙ୍କ ଘର ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ ଦୁଇଥର ବିଧାୟକ ଓ ବିଜେପି-ବିଜେଡି ମିଳିତ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ଏହାପରେ ଦୀର୍ଘ ବର୍ଷ ଧରି ସେ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ । ତେଣୁ ଜଣେ ଆଦିବାସୀ ନେତ୍ରୀ ଭାବେ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ।