ଟାଇମ୍ସ ନାଓ ପୋଲରେ ବହୁମତଠୁ ଦୂରରେ ଏନଡିଏ । କିଏ ଜିତିବ ୨୦୧୯ ନିର୍ବାଚନ ? କିଙ୍ଗମେକର୍ ସାଜିବେ ଆଂଚଳିକ ଦଳ । 

222

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ବହୁମତଠାରୁ ଅଳ୍ପ ଦୂରରେ ରହିବ ଏନଡିଏ ତେବେ ସରକାର ଗଢ଼ିପାରିବନି କଂଗ୍ରେସ  । ଟାଇମ୍ସ ନାଓ ଓ ଭିଏମଆର ପକ୍ଷରୁ କରାଯାଇଥିବା ସର୍ଭେ ପୋଲରେ କିଛି ଏଭଳି ପୂର୍ବାନୁମାନ କରାଯାଇଛି  । ରିପୋର୍ଟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫୨ଟି ଆସନ ମିଳିବ ଓ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଂଟ ୧୪୬ଟି ଲୋକସଭା ଆସନରେ ବିଜୟୀ ହେବ  ।

ବିଜେପି ପାଇଁ ସହଜ ହେବନି ବାଜି ଜିତିବା । ଟାଇମ୍ସ ନାଓ ପୋଲରେ ବହୁମତଠୁ ଦୂରରେ ଏନଡିଏ । କଂଗ୍ରେସ ନା ବିଜେପି, କିଏ ଜିତିବ ୨୦୧୯ ନିର୍ବାଚନ ? ଏହି ପ୍ରଶ୍ନକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ଟାଇମ୍ସ ନାଓ ଓ ଭିଏମଆର୍ ପକ୍ଷରୁ କରାଯାଇଥିବା ପ୍ରାକ୍ ନିର୍ବାଚନୀ ପୋଲ୍ ଭିନ୍ନ ଚିତ୍ର ପ୍ରଦାନ କରିଛି  । ପୋଲରେ ଏନଡିଏର ଆସନ କମିବା ନେଇ ଆକଳନ କରାଯାଇଛି  ।

ପୋଲ୍ ରିପୋର୍ଟ ଅନୁଯାୟୀ ..

ଏନଡିଏକୁ ମିଳିବ – ୨୫୨ ସିଟ୍

ୟୁପିଏକୁ ମିଳିବ – ୧୪୬ ସିଟ୍

ଏନଡିଏର ଭୋଟ୍ କମିବ – ୪.୪ ପ୍ରତିଶତ   

ୟୁପିଏର ଭୋଟ୍ ବଢ଼ିବ – ୪.୧ ପ୍ରତିଶତ

– ଅନ୍ୟାନ୍ୟ ଦଳ ୧୪୪ ସିଟରେ ବିଜୟୀ ହେବେ  ।

– ବହୁମତଠୁ ମାତ୍ର ୨୦ଟି ସିଟ୍ ଦୂରରେ ଥିବାରୁ ଅନ୍ୟ ଦଳ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରନ୍ତି  ।

– ଉତ୍ତର ପ୍ରଦେଶରେ ଏନଡିଏ ୪୬ଟି, ରାଜସ୍ଥାନରେ ୮ଟି, ଝାରଖଣ୍ଡରେ ୬ଟି, ପଂଜାବରେ ୬ଟି, ବିହାରରେ ୫ଟି, ଛତିଶଗଡ଼ରେ ୫ଟି ଓ ମଧ୍ୟପ୍ରଦେଶରେ ୫ଟି ସିଟ୍ ହରାଇପାରେ  ।

– ୨୦୧୪ ନିର୍ବାଚନ ଅପେକ୍ଷା ଓଡ଼ିଶାରେ ୧୨ଟି, ପଶ୍ଚିମବଙ୍ଗରେ ୭ଟି ଓ ତ୍ରିପୁରାରେ ୨ଟି ଅଧିକ ଆସନ ଏନଡିଏ ଜିତିବାର ସମ୍ଭାବନା ରହିଛି  ।

– ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଗୁଜରାଟ୍, ହିମାଚଳରେ ଏନଡିଏର ପ୍ରଭାବ ଜାରି ରହିପାରେ  ।

– ଏସପି-ବିଏସପି ମେଂଟକୁ ୫୧ଟି ଆସନ, ତୃଣମୁଳ କଂଗ୍ରେସକୁ ୩୨ଟି ସିଟ୍ ଓ ୱାଇଏସଆର୍ କଂଗ୍ରେସ ୨୩ଟି ଆସନରେ ବିଜୟୀ ହେବାର ସମ୍ଭାବନା ରହିଛି  ।

୨୦୧୯ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ଓ ଆକଳନ  । କିଏ ଜିତିବ ବାଜି ଆଉ କିଏ ରହିବ ପଛରେ ତାକୁ ନେଇ ଚର୍ଚ୍ଚା ବି ବଢ଼ିବାରେ ଲାଗିଛି  । ଅନ୍ୟପଟେ ଗତ ୫ ବର୍ଷରେ ଏନଡିଏ ସରକାର ଜନତାର ଆସ୍ଥାଭାଜନ ହୋଇଛନ୍ତି କି ନାହିଁ ତାର ବି ହେବ ଅଗ୍ନିପରୀକ୍ଷା  । ସେପଟେ ଏହି ପୋଲରେ ଆଂଚଳିକ ଦଳ ଗୁଡ଼ିକର ଗୁରୁତ୍ୱ ଅନେକାଂଶ ବଢ଼ିବା ବି ଏକପ୍ରକାର ସ୍ପଷ୍ଟ ହୋଇଛି  ।