କନକ ବ୍ୟୁରୋ : ୨୬ ଟି ବିଜେପି ବିରୋଧୀ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହୋଇ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେପି ବି ତାର ପୁରୁଣା ସହଯୋଗୀଙ୍କ ସହ ମୋଟ ୩୮ଟି ଦଳଙ୍କୁ ନେଇ ପୁଣି ଏନଡିଏକୁ ଆକ୍ଟିଭ କରିଛି । ଏନେଇ କଂଗ୍ରେସ ତରଫରୁ ବିଜେପିକୁ କଟାକ୍ଷ କରାଯାଇଛି । କଂଗ୍ରେସ କହିଛି କି ପ୍ରଥମେ ଦେଖିବାକୁ ପଡିବ କି ଏହି ୩୮ ଟି ଦଳ (ଯେଉଁମାନେ ଏନଡିଏରେ ସାମିଲ ହୋଇଛନ୍ତି) ସେହିସବୁ ଦଳମାନଙ୍କର ପଞ୍ଜିକରଣ ନିର୍ବାଚନ କମିଶନରଙ୍କ ପାଖରେ ଅଛି କି ନାହିଁ । କଂଗ୍ରେସର ଏଭଳି କଟାକ୍ଷ ପଛରେ ମଧ୍ୟ କିଛି ପରିମାଣର ସତ୍ୟତା ରହିଛି । କାରଣ ଏନଡିଏରେ ସାମିଲ ହୋଇଥିବା ୩୮ଟି ଦଳ ମଧ୍ୟରୁ ୨୫ ଟି ରାଜନୈତିକ ଦଳପାଖରେ ଜଣେ ହେଲେ ବି ଲୋକସଭା ସାଂସଦ ନାହାଁନ୍ତି । ହେଲେ ମୋଦୀ ଓ ଶାହା ସେମାନଙ୍କୁ କାହିଁକି ଏନଡିରେ ସାମିଲ କରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ।

Advertisment

ଇଣ୍ଡିଆ ମେଣ୍ଟରେ ୨୬ ଟି ଦଳ ଥିବା ବେଳେ ଏନଡିଏ ମେଣ୍ଟ ଏହି ଦଳ ସଂଖ୍ୟା ୩୮କୁ ବୃଦ୍ଧି କରି ଏହା ପ୍ରମାଣିତ କରିବାକୁ ଚାହୁଁଛି କି ଇଣ୍ଡିଆ ଠୁ ଏନଡିଏ ଅଧିକ ଶକ୍ତିଶାଳୀ । ହେଲେ ଏନଡିଏରେ ସାମିଲ ହୋଇଥିବା ଅନେକ ଦଳ ପାଖରେ ରାଷ୍ଟ୍ରୀୟ ରାଜନୀତିର କୌଣସି ଅଭିଜ୍ଞତା ନାହିଁ କି ସେମାନଙ୍କ ଦଳ କେବେ ବି ଲୋକସଭାରେ ଭାଗିଦାରୀ ହୋଇନାହାଁନ୍ତି । ଏହାସହ ଏନଡିଏ ମେଣ୍ଟରେ ଏଭଳି କିଛି ଦଳ ଅଛନ୍ତି ଯେଉଁମାନେ ଗତ ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏନଡିଏରେ ସାମିଲ ହୋଇଥିବା ୩୮ଟି ଦଳ ମଧ୍ୟରୁ ୩୭ ଦଳର ଭୋଟ ସେୟାରିଂ (୨୦୧୯ ଲୋକସଭା ନିର୍ବାଚନରେ) ମାତ୍ର ୭ ପ୍ରତିଶତ । ୨୦୧୯ ମସିହାରେ ଏହି ୩୭ଟି ଦଳକୁ ମୋଟ ୨୯ ଟି ଲୋକସଭା ଆସନରେ ବିଜୟୀ ହୋଇଥିଲେ । ସେପଟେ ବିଜେପି ଏକାକୀ ୩୦୩ ଆସନ ଜିତିବା ସହ ବିଜେପି ଭୋଟ ସେୟାର ୩୭.୩ ପ୍ରତିଶତ ଥିଲା ।

ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏରେ ସାମିଲ ହୋଇଥିବା ୩୮ ଟି ଦଳ ମଧ୍ୟରୁ ୯ଟି ଦଳ ଏଭଳି ଅଛନ୍ତି ଯେଉଁମାନେ କି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନଥିଲେ  । ଏହାସହ ଏଭଳି ୧୬ଟି ଦଳ ରହିଛି ଯେଉଁମାନେ ୨୦୧୯ ଲୋକସଭା ନିର୍ବାଚନରେ ଗୋଟିଏ ବି ସାଂସଦ ଆସନ ଜିତିବାରେ ସଫଳ ହୋଇ ନଥିଲେ । ଅର୍ଥାତ ଏନଡିଏରେ ସାମିଲ ହୋଇଥିବା ୩୮ଟି ଦଳ ମଧ୍ୟରୁ ୨୫ ଟି ଦଳର ଲୋକସଭା ପ୍ରତିନିଧିତ୍ୱ ନାହିଁ । ଏହାସହ ଏଭଳି ୭ଟି ଦଳ ରହିଛି ଯେଉଁମାନେ ୨୦୧୯ ଲୋକସଭା ନିର୍ବାଚନରେ ଗୋଟିଏ ଲେଖାଏଁ ଆସନ ଜିତିବାରେ ସଫଳ ହୋଇଥିଲେ । ହେଲେ ନୂଆ କରି ଏନଡିଏ ମେଣ୍ଟରେ ଯୋଗ ଦେଇଥିବା ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ପାଖରେ ୧୩ ଜଣ ସାଂସଦ ରହିଛନ୍ତି । ଆପନା ଦଳ ପାଖରେ ୨ ଓ ଲୋକ ଜନଶକ୍ତି ପାର୍ଟି ପାଖରେ ୬ ଲୋକସଭା ସାଂସଦ ଅଛନ୍ତି । ସେହିଭଳି ଏନସିପି (ଅଜିତ ପାୱାର ଗୋଷ୍ଠୀ) ଏନଡିଏରେ ମିଶିବା ପରେ ଏନଡିଏର ଲୋକସଭା ସାଂସଦ ୩୩୨ ପର୍ଯ୍ୟନ୍ତ ପହଂଚିସାରିଛି ।