କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ ସମୟ ବାକି । ଏପରି ସମୟରେ ବିରୋଧୀ ଦଳମାନେ ଏକଜୁଟ୍ ହେଇ ବିଜେପିକୁ ହରାଇବାକୁ ଚେଷ୍ଟା କରୁଥିବାବେଳେ, ବିରୋଧୀ ଏକତା କଥା ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏହାରି ଭିତରୁ କିନ୍ତୁ, ବିଜେପି ନିଜର ପୁରୁଣା ସହଯୋଗୀ ଦଳକୁ ପୁଣି ଏକାଠି କରିବାକୁ ଅଣ୍ଟା ଭିଡିଛି । ଆସନ୍ତା ଜୁଲାଇ ୧୮ ତାରିଖରେ ଏନଡିଏର ଏକ ବଡ ବୈଠକ ବସିବାକୁ ଯାଉଛି । ଯେଉଁଥିରେ କି, ଏନଡିଏର ସମସ୍ତ ସହଯୋଗୀ ଦଳ ସାମିଲ ହେବେ ।

Advertisment

ମିଳିଥିବା ସୂଚନା ମୁତାବକ ଏନଡିଏର ଏହି ବୈଠକରେ ଅକାଳି ଦଳ ତରଫରୁ ସୁଖବୀର ବାଦଲ, ଲୋକ ଜନଶକ୍ତି ପାର୍ଟିର ଚିରାଗ ପାଶୱାନ୍ ସାମିଲ ହେବେ । ଏହି ଦୁଇ ନେତା ଏହି ବୈଠକରେ ସାମିଲ ହେବାକୁ ଗ୍ରୀନ୍ ସିଗନାଲ ଦେଇସାରିଛନ୍ତି । ଏହି ଦୁଇ ନେତାଙ୍କ ବ୍ୟତୀତ ଚନ୍ଦ୍ରବାବୁ ନାଇଡୁଙ୍କୁ ଟିଡିପି ମଧ୍ୟ ଏହି ବୈଠକରେ ସାମିଲ ହେଇପାରେ ବୋଲି ସୂଚନା ମିଳୁଛି । ଖାଲି ସେତିକି ନୁହେଁ, ଏହାସହ କିଛି ନୂଆ ଦଳ ମଧ୍ୟ ନୂଆକରି ଏନଡିଏରେ ସାମିଲ ହେଇପାରନ୍ତି ବୋଲି ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏବେ ଆକ୍ସନ ମୋଡରେ ବିଜେପି ନିଜର ରଣନୀତି ପ୍ରସ୍ତୁତ କରୁଛି । ବିଜେପିର ଶୀର୍ଷ ନେତୃତ୍ୱ ବାରମ୍ବାର ବୈଠକ କରୁଥିବାବେଳେ, ପିଏମ୍ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀପରିଷଦ ମଧ୍ୟ ବୈଠକ ବସୁଛି । ଗୋଟିଏ ପଟେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କଥା ଚର୍ଚ୍ଚାରେ ଥିବାବେଳେ, ଏବେ ଏନଡିଏରେ ଆଉ କେଉଁ କେଉଁ ଦଳ ସାମିଲ ହେଉଛନ୍ତି ତାହା ଦେଖିବା ବାକି ରହିଲା ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଗତ ଜୁନ୍ ୨୩ ତାରିଖରେ ବିରୋଧୀଙ୍କ ବୈଠକ ବସିଥିଲା । ଯେଉଁଥିରେ କି ୧୭ ଟି ବିରୋଧୀ ଦଳର ନେତା ସାମିଲ ହେଇଥିଲେ । ନୀତିଶଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, ରାହୁଲ ଗାନ୍ଧୀ, ଏନସିପି ନେତା ଶରଦ ପାୱାର, ଟିଏମସି ନେତ୍ରୀ ମମତା ବାନାର୍ଜୀ, ଆରଜେଡି ନେତା ଲାଲୁୁ ପ୍ରସାଦ ଯାଦବ ଏହି ବୈଠକରେ ସାମିଲ ହେଇଥିଲେ । ଏହାପରେ ଏବେ ଏନଡିଏ ନିଜର ବୈଠକ ଡାକି, ନିଜର ପୁରୁଣା ସହଯୋଗୀଙ୍କୁ ପୁଣି ନିଜ ସହ ଯୋଡିବା ଆରମ୍ଭ କରିଛି ।