ଏକଜିଟ୍ ପୋଲ୍ ରିପୋର୍ଟ ପରେ ଉତ୍ସାହିତ ଏନଡିଏ । ମଙ୍ଗଳବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

200

କନକ ବ୍ୟୁରୋ : ଏକଜିଟ ପୋଲକୁ ନେଇ ଏନଡିଏ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।  ଆସନ୍ତା ମଙ୍ଗଳବାର ଦିନ ଦିଲ୍ଲୀରେ ବିଜେପିର ସହଯୋଗୀ ଦଳମାନଙ୍କୁ ନେଇ ବୈଠକ ବସିବାକୁ ଯାଉଛି । ଏଥିରେ ସରକାର ଗଠନ ପ୍ରସ୍ତୁତି ବାବଦରେ ଆଲୋଚନା ହେବାର ଚର୍ଚ୍ଚା ହେଉଛି । କାରଣ ଆଜି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିବା ବୁଥ ବାହୁଡା ମତରେ ବିଜେପି ଓ ସହଯୋଗୀ ଦଳମାନଙ୍କୁ ବହୁମତ ମିଳିଥିବାର ଦର୍ଶାଯାଇଛି ।

ଆଜତକ-ଏକ୍ସିସ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ଅନୁମାନ ଅନୁସାରେ ୫୪୩ ଆସନରୁ ଏନଡିଏ ୩୩୯ରୁ ୩୬୫ ସିଟ ପାଇବ । ସେହିପରି ରିପବ୍ଲିକ-ସି ଭୋଟରର ରିପୋର୍ଟ ଅନୁସାରେ ଏନଡିଏ ୨୮୭ଟି,ରିପବ୍ଲିକ ଭାରତ-ଜନ କି ବାତର ରିପୋର୍ଟ ଅନୁସାରେ ଏନଡିଏ ୩୦୫ଟି,ନ୍ୟୁଜ ନେସନର ରିପୋର୍ଟ ଅନୁସାରେ ଏନଡିଏ ୨୮୨ରୁ ୨୯୦ ଟି ସିଟ ପାଇବେ । ସେହିପରି ଟାଇମ୍ସ ନାଓର ଅଟକଳ ଅନୁସାରେ ଏନଡିଏ ୩୦୬ଟି ଓ ଜି ନ୍ୟୁଜ ଏନଡିଏକୁ ୩୦୬ଟି ଆସନ ଦେଇଛି । ଏଠାରେ ସୂଚନା ଥାଉ କି ଏନଡିଏରେ ବିଜେପି ସହିତ ୪୧ଟି ରାଜନୈତିକ ଦଳ ରହିଛନ୍ତି ।