ଏବେ ଅପେକ୍ଷା ଶପଥ ଗ୍ରହଣକୁ । କିଏ କେତେବେଳେ ନେବେ ଶପଥ । ଆଜି ହେବ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ ।

454

କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ଜୁନ ୪ର ଜନାଦେଶ ଆସି ସାରିଛି । ଏବେ ଅପେକ୍ଷା କିଏ କେତେବେଳେ ଶପଥ ଗ୍ରହଣ କରିବେ । ଆଜି ଏହା ଉପରେ ସାରା ଦେଶର ନଜର ରହିଛି । ଏନେଇ ଉଭୟ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟବୈଠକ କରିବାକୁ ଯାଉଛନ୍ତି । ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ମିଟିଂ କରିବାକୁ ଯାଉଛନ୍ତି । ଏହାପରେ ଏନଡିଏ ପକ୍ଷରୁ ବୈଠକ ଡକାଯାଇଛି ।

ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଇଣ୍ଡିଆ ମେଣ୍ଟ ଯୋଗାଯୋଗ କରୁଥିବା କୁହାଯାଉଛି । ଶରଦ ପୱାର ଏଥିପାଇଁ ପ୍ରୟାସ କରୁଥିବା କୁହାଯାଉଛି । ସେହିପରି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଯୋଗାଯୋଗ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରୟାସ କରୁଥିବା କୁହାଯାଉଛି । କିନ୍ତୁ ଅମିତ ଶାହ ଉଭୟ ସହଯୋଗୀଙ୍କ ସହ କଥା ହୋଇସାରିଛନ୍ତି । ଏବଂ ନୀତୀଶ ଓ ନାଇଡୁ ଏନଡିଏରେ ରହିବେ ଏବଂ ଆଜିର ବୈଠକରେ ଯୋଗଦେବେ ବୋଲି ଜଣାପଡିଛି ।