ଚମକାଇଦେଲା ନିର୍ବାଚନ ଫଳାଫଳ । ଏନଡିଏକୁ ମିଳିଲା ବହୁମତ, ବଡ ଦଳ ଭାବେ ଉଭା ହେଲା ବିଜେପି । ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ଉପରେ ନଜର ।

2,463

କନକ ବ୍ୟୁରୋ : ଗୋଟିଏ ପଟେ ଓଡ଼ିଶାରେ ବିଜେପି ସରକାର ଗଢିଥିବା ବେଳେ ଅନ୍ୟପଟେ କେନ୍ଦ୍ରରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏନଡିଏକୁ ବହୁମତ ମିଳିଥିଲେ ବି ବିଜେପିକୁ ଝଟକା ଲାଗିଛି । ବିଜେପି ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । କିନ୍ତୁ ୨୫୦ ଆସନ ବି ଛୁଇଁପାରିନାହିଁ । ମ୍ୟାଜିକ ନମ୍ବର ୨୭୨ ଥିବା ବେଳେ ବିଜେପି ଏହାଠାରୁ ଦୂରରେ ରହିଛି । କିନ୍ତୁ ଏନଡିଏ ମେଣ୍ଟ ମ୍ୟାଜିକ ନମ୍ବର ପାର କରିଛି । ମହାରାଷ୍ଟ୍ର, ଉତରପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ବିଜେପିକୁ ଆଶାନୁରୂପକ ସଫଳତା ମିଳିନାହିଁ । ୟୁପି ଓ ମହାରାଷ୍ଟ୍ରରେ ବିଜେପିକୁ କମ ଆସନ ମିଳିଛି । ପଶ୍ଚିମବଙ୍ଗରେ ବି ୨୦୧୯ ଅପେକ୍ଷା ୨୦୨୪ରେ କମ ଆସନ ମିଳିଛି । ରାଜସ୍ଥାନରେ ୨୦୧୯ ମସିହାରେ କଂଗ୍ରେସ ଖାତା ଖୋଲିପାରିନଥିଲା । ଏଥର ଇଣ୍ଡିଆ ମେଂଟ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି । ହରିୟାଣାରେ ବି ବିଜେପି ଭଲ କରିନାହିଁ । ଦକ୍ଷିଣରେ ବିଜେପିକୁ ଭଲ ସଫଳତା ମିଳିନଥିବାବେଳେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସକୁ ଭଲ ସଫଳତା ମିଳିନାହିଁ । ଏଭଳି ସ୍ଥିତିରେ ଟିଡିପି ଓ ଜେଡିୟୁ ଉପରେ ସମସ୍ତଙ୍କର ନଜର ଅଟକିଛି । ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଭାଗ୍ୟ ଅଟକି ରହିଛି ।

ଅନ୍ୟପଟେ ଫଳାଫଳ ଆସିବା ପରେ ମୋଦି କହିଛନ୍ତି, ଦେଶର ତୃତୀୟ ଥର ଲାଗି ଏନଡିଏ ସରକାର ହେବା ନିଶ୍ଚିତ । ଏନଡିଏର ବିଜୟ ପାଇଁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି ।

ଫଳାଫଳ ନେଇ ରାହୁଲ ଗାନ୍ଧି କହିଛନ୍ତି, ଏହି ଲଢେଇ ସମ୍ବିଧାନ ବଞ୍ଚେଇବା ପାଇଁ ଥିଲା । ଗଣତନ୍ତ୍ର ବଂଚାଇବା ପାଇଁ ଲଢେଇ ଜାରି ରହିବ । ଦେଶବାସୀ ମୋଦିଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧି । ନିର୍ବାଚନ ପରିଣାମ ମୋଦିଙ୍କ ନୈତିକ ପରାଜୟ ବୋଲି ସେ କହିଛନ୍ତି ।