ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ହେବା ଦରକାର । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲା NCW ।

212

କନକ ବ୍ୟୁରୋ: କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ଦୁଇ ମନ୍ତ୍ରୀଙ୍କ ବହିଷ୍କାର ହେବା ଦରକାର । ଜାତୀୟ ମହିଳା କମିଶନର ରେଖା ଶର୍ମା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେହି ଚିଠିରେ ଲେଖାଯାଇଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନା ସ୍କୁଲକୁ ବାରମ୍ବାର ଯାଉଥିଲେ । ତେଣୁ ପୁଲିସର ତଦନ୍ତ ପ୍ରଭାବିତ ହୋଇପାରେ ଯଦି ଏମାନେ ମନ୍ତ୍ରୀ ପଦରେ ରହିବେ । ତେଣୁ ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଜାତୀୟ ମହିଳା କମିଶନର ରେଖା ଶର୍ମା ଚିଠିରେ କହିଛନ୍ତି । ଏଥିସହ ଡିଜିପିଙ୍କୁ ମଧ୍ୟ ଚିଠି ଲେଖି ଏହି ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ କରିବାକୁ କହିଛନ୍ତି ରେଖା ଶର୍ମା । ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ପୀଡିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗଇ ଦେବାକୁ ରେଖା ଶର୍ମା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁକାଣ୍ଡ ଘଟଣାରେ ଏବେ ରହସ୍ୟ ଖୋଲିବାରେ ଲାଗିଛି । କଲେଜର ମାଲିକ ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଥିଲା ବୋଲି ସ୍ପଷ୍ଟ ହୋଇଛି । ତେବେ ଏହା ପଛରେ ପରକୀୟା ପ୍ରୀତି ହିଁ ମୁଖ୍ୟ କାରଣ ଥିଲା ବୋଲି କୁହାଯାଉଛି । ଯାହା ଫଳରେ ମମିତାଙ୍କ ତଣ୍ଟିଚିପି ଗୋବିନ୍ଦ ତାଙ୍କୁ ହତ୍ୟା କରିଥିଲା । ହେଲେ ଏହି ଘଟଣାକୁ ନେଇ ଏବେ ବିରୋଧୀମାନେ ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ଘଟଣାରେ ସମ୍ପୃକ୍ତି ନେଇ ବିରୋଧୀମାନେ ଶାସକ ଦଳକୁ ଘେରିବାରେ ଲାଗିଛନ୍ତି । ତୁରନ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ଏହି ଘଟଣାର ସିବିଆଇ ଦ୍ୱାରା ତଦନ୍ତ ହେଉ ବୋଲି ବିଜେପି ଦାବି କରିଆସୁଛି । ଆଉ ଏହାରି ଭିତରେ ଜାତୀୟ ମହିଳା କମିଶନର ରେଖା ଶର୍ମା ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।