ଏନ୍‌ସିଆର୍‌ବି ଜେଲ୍‌ ପରିସଂଖ୍ୟାନ ରିପୋର୍ଟ-୨୦୧୯, ଓଡ଼ିଶାର ଉପକାରାଗାରରେ ସର୍ବାଧିକ କଏଦୀ

84

କନକ ବ୍ୟୁରୋ : ଓଡ଼ିଶାର ୭୩ଟି ଉପ କାରାଗାରରେ ୮୪୨୩ ଜଣ କଏଦୀ ଅଛନ୍ତି। ଏହା ଦେଶରେ ସର୍ବାଧିକ। ଦେଶର ଉପ କାରାଗାରମାନଙ୍କରେ ୪୫,୦୭୧ ଜଣ କଏଦୀ ରହିବାର କ୍ଷମତା ଥିବା‌ବେଳେ ବର୍ତ୍ତମାନ ୩୮,୦୩୦ ଜଣ କଏଦୀ ଅଛନ୍ତି। ଓଡ଼ିଶାର ଉପ କାରାଗାରରେ ସର୍ବାଧିକ କଏଦୀ ରହିଥିବାବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନର ଉପ କାରାଗାରରେ ଏହି ସଂଖ୍ୟା ଯଥାକ୍ରମେ ୬,୬୨୨ ଓ ୩,୩୮୫। ଅପରପକ୍ଷେ, ଓଡ଼ିଶାର ଦୁଇଟି ସ୍ୱତନ୍ତ୍ର ଜେଲରେ କଏଦୀମାନଙ୍କର ରହିବା‌ କ୍ଷମତା ୧୫୫୧ ଥିଲାବେଳେ ୧୨୩୬ ଜଣ ରହୁଛନ୍ତି। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସ୍ଥାନ ଦେଶରେ ପ୍ରଥମ। କେରଳ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏହାର ସ୍ୱତନ୍ତ୍ର କାରାଗାରରେ ୧୨୦୦ ଜଣ କଏଦୀ ରହୁଛନ୍ତି।

ଦେଶର ସ୍ବତନ୍ତ୍ର କାରାଗାରମାନଙ୍କରେ କଏଦୀମାନଙ୍କର ରହିବାର କ୍ଷମତା ୭,୨୬୨ ଥିବାବେଳେ ବର୍ତ୍ତମାନ ୫,୬୧୨ ଜଣ ରହୁଛନ୍ତି। ସଦ୍ୟ ପ୍ରକାଶିତ ଏନ୍‌ସିଆରବି ଜେଲ ପରିସଂଖ୍ୟାନ ରିପୋର୍ଟ ୨୦୧୯ରୁ ଜଣାପଡ଼ିଛି, ସମଗ୍ର ଦେଶରେ କାରାଗାରମାନଙ୍କରେ କଏଦୀମାନଙ୍କର ରହିବା କ୍ଷମତା ୪,୦୩,୭୩୯ ଥିବାବେଳେ ୪,୭୮,୬୦୦ ଜଣ କଏଦୀ ରହୁଛନ୍ତି। ଓଡ଼ିଶାରେ ଜେଲମାନଙ୍କରେ କଏଦୀମାନଙ୍କର ରହିବା କ୍ଷମତା ବାସ୍ତବରେ ୧୯,୨୯୧ ଥିବାବେଳେ ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ଓଡ଼ିଶାର ବିଭିନ୍ନ କାରାଗାରରେ କଏଦୀଙ୍କ ସଂଖ୍ୟା ହେଉଛି ୧୭,୫୬୩।

ଓଡ଼ିଶାର କେନ୍ଦ୍ରୀୟ ଓ ଜିଲ୍ଲା କାରାଗାରମାନଙ୍କରେ କ୍ଷମତାରୁ ଅଧିକ କଏଦୀ ରହୁଛନ୍ତି। କେନ୍ଦ୍ରୀୟ ଜେଲରେ ୩,୧୨୬ କ୍ଷମତା ଥିବାବେଳେ ୩,୮୫୯ କଏଦୀ ରହୁଛନ୍ତି। ସେହିଭଳି ଜିଲ୍ଲା କାରାଗାରରେ ୩,୫୪୩ କ୍ଷମତା ଥିବାବେଳେ ୩,୯୪୯ ରହୁଛନ୍ତି। ଓଡ଼ିଶାରେ ମୋଟ ୯୧ଟି ଜେଲ୍‌ ରହିଛି। ରିପୋର୍ଟ ଅନୁସାରେ ଜେଲମାନଙ୍କରେ ୨୭ ଜଣ ମହିଳା କଏଦୀ ସେମାନଙ୍କ ଶିଶୁମାନଙ୍କ ସହ ରହୁଥିବାବେଳେ ୧୮ ଜଣ ଶିଶୁ ରହୁଛନ୍ତି। ବିଭିନ୍ନ କାରଣରୁ ଓଡ଼ିଶାରେ ବିଭିନ୍ନ ଜେଲରେ ୫୩ ଜଣ କଏଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି।