ଓଡ଼ିଶାରେ ରୁଜୁ ହୋଇଛି ସୁବୁଠୁ ଅଧିକ ଆୟ ବହିର୍ଭୁତ ମାମଲା । ଏବେ ବି ସରିନି ୯୮% କେସର ଶୁଣାଣି…

97

କନକ ବ୍ୟୁରୋ: ଦୁର୍ନୀତି ମାମଲାରେ କେତେ ସଫଳ ହୋଇଛି ଶୂନ୍ୟ-ସହନଶୀଳତା ? ସବୁଠୁ ଅଧିକ ଆୟ ବହିର୍ଭୂତଃ ମାମଲା ରୁଜୁ କରିିଛି ଓଡ଼ିଶା । ୯୩ ସରକାରୀ ଅଧିକାରୀଙ୍କ ବିରୋଧରେ ହୋଇଛି ମାମଲା । ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବି ରିପୋର୍ଟ-୨୦୨୦ ଅନୁସାରେ ସମଗ୍ର ଦେଶରେ ସର୍ବାଧିକ ୯୩ଟି ଆୟ ବହିର୍ଭୂତଃ ମାମଲା ରୁଜୁ କରିିଛି ଓଡ଼ିଶା । ୯୩ ସରକାରୀ ଅଧିକାରୀଙ୍କ ଠାରୁ ୧୨୩.୯୨ କୋଟି ଟଙ୍କା ଆୟ ବର୍ହିଭୂତଃ ସମ୍ପତ୍ତି ଠାବ କରିଛି । ଏଥିରୁ ୪ ସରକାରୀ ଅଧିକାରୀଙ୍କ ଠାରୁ ୪ କୋଟିରୁ ଅଧିକ ଆୟ ବହିର୍ଭୂତଃ ସମ୍ପତ୍ତି ଠାବ ହୋଇଥିବା ବେଳେ ୩୬ ଜଣଙ୍କ ଠାରୁ ୧ କୋଟିରୁ ଅଧିକ ଆୟ ବହିର୍ଭୂତଃ ସମ୍ପତ୍ତି ଠାବ ହୋଇଛି । ୯୩ ଅଧିକାରୀଙ୍କ ମଧ୍ୟରେ ୨୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୧୯ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି । ଗତ ବର୍ଷ କେବଳ ଆଇଏଫଏସ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ନିକଟରୁ ୯.୩୫ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତଃ ସମ୍ପତ୍ତି ଠାବ କରିଥିିଲା ଭିଜିଲାନ୍ସ ।

ଅନ୍ୟପଟେ ୨୦୨୦ ସୁଦ୍ଧା ଓଡ଼ିଶାରେ ୩,୩୫୬ଟି ଦୁର୍ନୀତି ମାମଲା ଭିଜିଲାନ୍ସ କୋର୍ଟ/ଲୋକାୟୁକ୍ତରେ ବିଚାରଧୀନ ରହିଛି । ଗତବର୍ଷ ମାତ୍ର ୩୨ଟି ମାମଲାର ଶୁଣାଣି କରିଛନ୍ତି କୋର୍ଟ । ୧୬ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ୧୬ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ । ଏହି ଅନୁସାରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୫୦% ରହିଛି । ତେବେ ୧୫୭୭ଟି ଦୁର୍ନୀତି ମାମଲାରେ ତଦନ୍ତ ସାରିନାହିଁ ଭିଜିଲାନ୍ସ । ସବୁଠାରୁ ଚିନ୍ତାର ବିଷୟ ହେଉଛି, ଦେଶରେ ୯୬.୧% ଦୁର୍ନୀତି ମାମଲାରେ ଶୁଣାଣି ଶେଷ ହୋଇନି । ଓଡ଼ିଶାରେ ୯୮.୭% ଦୁର୍ନୀତି ମାମଲାର ଶୁଶାଣି ସରିନାହିଁ । ଦୁର୍ନୀତି ମାମଲାରେ ସରକାର ଶୂନ୍ୟ ସହନଶୀଳତା କଥା କହୁଛନ୍ତି ସରକାର । ହେଲେ ଏହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ହେବା ଆବଶ୍ୟକତା ରହିଛି ।