ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଏନସିପି : ବିଧାୟକ ଦଳ ନେତା ହେଲେ ଜୟନ୍ତ ପାଟିଲ ।  ଆଜି ପୁଣି ବସିବ ବିଧାୟକ ଦଳ ବୈଠକ , ୩ ବିଧାୟକଙ୍କ ମିଳୁନି ପତା

456

ବିଜେପି ମହାରାଷ୍ଟ୍ରରେ ଅଜିତ୍ ପାୱାରଙ୍କୁ ନେଇ ସରକାର ଗଠନ କରିଛି । ସେପଟେ ଏନସିପିକୁ ଘାରିଲାଣି ବିଧାୟକଙ୍କ ଦଳବଦଳ ଭୟ । ସୂଚନା ଅନୁସାରେ ଏନସିପିର ୩ ଜଣ ବିଧାୟକ ଏବେ ନିଖୋଜ ଅଛନ୍ତି ।  ଦଳ ଦାବି କରୁଛି ତାଙ୍କ ନିକଟରେ ୪୯ ଜଣ ବିଧାୟକଙ୍କ ସମର୍ଥନ ରହିଛି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଦଳର ୩ ଜଣ ବିଧାୟକ ଏବେ ନିଖୋଜ ଅଛନ୍ତି । ସେମାନଙ୍କ ସହିତ ସଂପର୍କ ହୋଇପାରୁନାହିଁ । ସେମାନଙ୍କ ଫୋନ୍ ଏବେ ବି ଅପହଁଚ ଦୂରତାରେ ରହିଛି । ନିଖୋଜ ଥିବା ୩ ବିଧାୟକଙ୍କ ମଧ୍ୟରେ ଅଛନ୍ତି କଲବଣ ବିଧାନସଭା କ୍ଷେତ୍ରର ବିଧାୟକ ନୀତିନ୍ ପାୱାରଙ୍କ ସହିତ ଅନ୍ୟ ୨ ବିଧାୟକ । ଏନସିପି ବୈଠକରେ ସୂଚନା ଅନୁସାରେ ୪୯ ରୁ ୪୨ ଜଣ ବିଧାୟକ ଉପସ୍ଥିତ ଥିଲେ । ତେଣୁ ବାକି ୭ ବିଧାୟକଙ୍କ ଉପରେ ରହିଛି ଦଳର ଫୋକସ୍ । ଅନ୍ୟପଟେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଏନସିପିର ବିଦ୍ରୋହୀ ବିଧାୟକଙ୍କୁ ଏକ ଚାର୍ଟର ପ୍ଲେନ ଯୋଗେ ଦିଲ୍ଲୀ ନିଆଯାଇଛି । ସେମାନେ ହେଲେ ଦୌଲତ ଦାରୋଦା, ନରହରି ଜିରୱାର, ସୁନୀଲ ଭୁଷରା, ଦିଲ୍ଲୀପ ବଙ୍କର, ଅନୀଲ ପାଟିଲ, ନୀତିନ ପାୱାର,  ସୁନୀଲ ସେଲକେ, ବାବାସାହେବ ପାଟିଲ ଓ ସଂଜୟ ବନସନ । ତେବେ ଏନସିପିର ବିଦ୍ରୋହୀ ବିଧାୟକଙ୍କୁ ଦିଲ୍ଲୀର କେଉଁସ୍ଥାନରେ ରଖାଯାଇଛି ତାହା ଜଣାପଡିନାହିଁ । ବାକି ୪୨ ବିଧାୟକ ଏବେ ମୁମ୍ୱାଇର ରେନେସା ହୋଟେଲରେ ରହିଛନ୍ତି ।

ଗତକାଲି ମହରାଷ୍ଟ୍ରରେ ବିଜେପି ସହ ମେଂଟ କରି ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରୋଚକ ହେଉଛି ରାଜନୈତିକ ଦୃଶ୍ୟପଟ୍ଟ । ଅଜିତ ପାୱାରଙ୍କ ବିଦ୍ରୋହ ପରେ ଏନସିପି ବିଧାୟକଙ୍କୁ ଏକଜୁଟ ରଖିବା ଶରଦ ପାୱାରଙ୍କ ପାଇଁ ପ୍ରାଥମିକତା ହୋଇପଡିଛି । ସେଥିପାଇଁ ଗତକାଲି ଏନସିପିର ବିଧାୟକ ଦଳ ବୈଠକ ହୋଇଥିଲା । ଆଜି ଦିନ ୨ ଟାରେ ମଧ୍ୟ ଆଉଥରେ ବସିବ ଏନସିପି ବିଧାୟକଙ୍କ ବୈଠକ । ଶନିବାର ବିଧାୟକ ଦଳ ବୈଠକରେ ଅଜିତ ପାୱାରଙ୍କୁ ଦଳରୁ ନିଲମ୍ୱିତ କରି ତାଙ୍କ ସ୍ଥାନରେ ଜୟନ୍ତ ରାଜାରାମ ପାଟିଲଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯାଇଛି । ସେପଟେ ଅଜିତ ପାୱାରଙ୍କ ସମେତ ୫ ବିଧାୟକଙ୍କ ପାଇଁ ଏନସିପିର ଦ୍ୱାର ଖୋଲା ରହିଛି ବୋଲି ଇସାରା କରିଛନ୍ତି ଏନସିପି ନେତା ।