ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର । ମାର୍ଚ୍ଚ ୩୧ ଯାଏଁ ସମସ୍ତ କାର୍ଯ୍ୟକ୍ରମ ବାତିଲ ।

135

କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ବଡ ଖବର । ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର । ଏନସିପି ମୁଖ୍ୟ ଶରଦ ପାୱାର ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇଛି ।

ଏନସିପି ନେତା ନବାବ ମଲ୍ଲିକ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଶରଦ ପାୱାର ଏବେ ଏଣ୍ଡୋସ୍କୋପି ଏବଂ ସର୍ଜରୀ ପାଇଁ ମାର୍ଚ୍ଚ ୩୧ ଯାଏଁ ହସ୍ପିଟାଲରେ ରହିବେ । ସେହି ସମୟ ଭିତରେ ଥିବା ତାଙ୍କର ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି ।  ଏହାସହ ହସ୍ପିଟାଲ ସହ ଲଗାତାର ଭାବେ ସମ୍ପର୍କ ରଖାଯାଇଛି ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଏବେ ଏନସିପି ଘୋର ରାଜନୈତିକ ସଂକଟ ଭିତରେ ଗତି କରୁଛି । ଏନଆଇଏ ଆଣ୍ଟିଲିଆ ଏବଂ ସଚିନ ବାଜେ ମାମଲାରେ ଯାଂଚ ଜାରି ରଖିଛି । ଏହି କେସରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଓ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଆରୋପ ଲାଗିଛି । ଯାହାକୁ ନେଇ ମହାରାଷ୍ଟ୍ରରେ ଶାସନ ଟଳମଳ ହେବା ଭଳି  ସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଶରଦ ପାୱାର ଅସୁସ୍ଥ ହେବା ଏନସିପି ନେତାଙ୍କ ଚିନ୍ତା ବଢାଇଛି ।