ଫଡର୍ନାଭିସଙ୍କ ଉପରେ ନୱାବ ମଲ୍ଲିକଙ୍କ ସାଂଘାତିକ ଅଭିଯୋଗ, କହିଲେ ଫଡର୍ନାଭିସଙ୍କ ଇସାରାରେ ମହାରାଷ୍ଟ୍ରରେ ଚାଲୁଥିଲା ନକଲି ନୋଟ କାରବାର

73

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ମାମଲାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦୈନିକ କିଛି ନା କିଛି ଘଟଣା ଘଟୁଛି । ଗତକାଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ନାଭିସ ନୱାବ ମଲ୍ଲିକଙ୍କ ବିରୋଧରେ ଆତଙ୍କବାଦୀଙ୍କ ଠାରୁ ଜମି କିଣିଥିବା ଅଭିଯୋଗ କରିବା ପରେ ଆଜି ଏହାର ଜବାବ୍ ରଖିଛନ୍ତି ନୱାବ ମଲ୍ଲିକ । ଶ୍ରୀ ମଲ୍ଲିକ କହିଛନ୍ତି କି ଫଡର୍ନାଭିସଙ୍କ ଇସାରାରେ ମହାରାଷ୍ଟ୍ରରେ ନକଲି ନୋଟ କାରବାର ଚାଲିଥିଲା । ଅନ୍ୟପଟେ ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ଫଡର୍ନାଭସଙ୍କ ପାଖ ଲୋକ ହୋଇଥିବାରୁ ସେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା କଥା ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଫଡର୍ନାଭିସ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ଇସାରାରେ ରାଜ୍ୟରେ ବଟି ଆଦାୟ କାମ ଚାଲିଥିଲା । ନୱାବଙ୍କ ଅଭିଯୋଗ ମୁତାବକ ଫଡର୍ନାଭିସ ଠିକାଦାର ମାନଙ୍କ ଠାରୁ କମିଶନ ଆଦାୟ କରୁଥିଲେ । ଅନ୍ୟପଟେ ଯେତେବେଳେ କୌଣସି ମାମଲାରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗର ଫୋନ ଆସୁଥିଲା ସେତେବେଳେ ମୁମ୍ବାଇ ପୋଲିସ ଅନେକ ମାମଲାକୁ ରଫାଦଫା କରିଦେଉଥିଲା । ଏସବୁ ପଛରେ ଫଡର୍ନାଭିସଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି ।

ସବୁଠାରୁ ବଡ ଓ ସାଂଘାତିକ ଅଭିଯୋଗ ଆଣି ନୱାବ କହିଛନ୍ତି କି ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ବିମୁଦ୍ରିକରଣ ଘୋଷଣା କରି କହିଥିଲେ କି ଏହାଦ୍ୱାରା ନକଲି ନୋଟ କାରବାର ବନ୍ଦ ହେବା ସହ କଳା ଧନ ଓ ଆତଙ୍କବାଦ ସମାପ୍ତ ହୋଇଯିବ । ଏହି କ୍ରମରେ ବି ଦେଶରେ ଅନେକ ସ୍ଥାନରୁ କୋଟି କୋଟି ଟଙ୍କାର ନକଲି ନୋଟ ଧରାପଡିଥିଲା ହେଲେ ୨୦୧୭ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ନକଲି ନୋଟ ନେଇ ଗୋଟିଏ ବି ମାମଲା ରୁଜୁ ହୋଇ ନଥିଲା । ଏହାର କାରଣ ଭାବେ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଖୁଦ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡର୍ନାଭିସ ନକଲି ନୋଟ କାରବାରରେ ସଂପୃକ୍ତ ଥିବାନେଇ ଏହା ହେଉଛି ବଳିଷ୍ଠ ପ୍ରମାଣ ।