ମହାରାଷ୍ଟ୍ରର ମହାନାଟକ ଭିତରେ ଉଦ୍ଧବଙ୍କୁ ଭେଟିଲେ ଶରଦ ପାୱାର, ଜାଣନ୍ତୁ କଣ ହେଲା ଆଲୋଚନା

235

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଂକଟ ଭିତରେ ସରକାରର ଭାଗିଦାରୀ ଥିବା ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି । ଶରଦ ପାୱାର ତାଙ୍କ ଝିଅ ସୁପ୍ରିୟା ସୋଲେ ଓ ଜିତେନ୍ଦ୍ର ଆହ୍ୱାଡ ମିଳିତ ଭାବେ ଉଦ୍ଧବ ଠାକରେଙ୍କୁ ଭେଟି ୧ ଘଂଟାରୁ ଉର୍ଦ୍ଧ ସମୟ ଧରି ଆଲୋଚନା କରିଛନ୍ତି । ଆଲୋଚନା ପରେ ବାହାରକୁ ବାହାରି ଗଣମାଧ୍ୟମକୁ କିଛି ବି ପ୍ରତିକ୍ରିୟା ଦେଇନାହାଁନ୍ତି ହେଲେ ସୁପ୍ରିୟା ସୋଲେ ଆଙ୍ଗୁଠି ଦେଖାଇ ଯେଭଳି ସଂକେତ ଦେଇଛନ୍ତି ସେଥିରୁ ଅନୁମାନ କରାଯାଉଛି କି କିଛି ନା କିଛି ଉପାୟ ବାହାରିଛି । ଅନୁମାନ କରାଯାଉଛି କି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଉପରେ ଆଲୋଚନା ହୋଇଛି ।

କହିରଖୁ କି ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଚଳାଉଛନ୍ତି । ହେଲେ ଶିବସେନା ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ୩୪ ଜଣ ବିଧାୟକଙ୍କୁ ସାଂଗରେ ଧରି ଉଦ୍ଧବଙ୍କ ସହ ସନ୍ଧି କରୁଛନ୍ତି । ସେ କହିଛନ୍ତି କି ଶିବସେନା ଯଦି ବିଜେପି ସହ ମିଳିତ ସରକାର ଗଠନ କରିବ ତେବେ ସେହି ୩୪ ଜଣ ବିଧାୟକ ତାଙ୍କ ସମର୍ଥନ କରିବେ ନଚେତ ସେମାନେ ଶିବସେନାରୁ ଇସ୍ତଫା ଦେବେ ।

ଏସବୁ ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି କେହି ଜଣେ ବି ଶିବସେନା ବିଧାୟକ ଯଦି ସାମ୍ନାକୁ ଆସି କହିବେ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ । ଏହାସହ ତାଙ୍କର କ୍ଷମତା ପ୍ରତି ଲୋଭ ନଥିବା କଥା ସେ ସ୍ପଷ୍ଟ କରିଛନ୍ତି ।

 

ସେପଟେ ୩୪ ଜଣ ବିଧାୟକଙ୍କ ଦସ୍ତଖତ ଥିବା ଏକ ଚିଠି ସିନ୍ଦେଙ୍କ ତରଫରୁ ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କ ନିକଟକୁ ପଠାଯାଇଛି । ଏହାସହ ସିନ୍ଦେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ହେଲେ ରାଜ୍ୟପାଳ କରୋନା ସଂକ୍ରମିତ ହୋଇଥିବାରୁ ଏବେ ତାଙ୍କୁ ଭେଟିବା ସମ୍ଭବ ନୁହେଁ ।