କନକ ବ୍ୟୁରୋ : ଜାରି ରହିଛି ମହାରାଷ୍ଟ୍ରରେ ମହାନାଟକ । ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ଏନସିପି ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସାଂସଦ ତଥା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଓ ସାଧାରଣ ସମ୍ପାଦକ ସୁନୀଲ ତଟକରେଙ୍କୁ ଦଳରୁ ବିଦା କରାଯାଇଛି ।

Advertisment

ସେହିପରି ଶପଥ ଗ୍ରହଣ ସମାରୋହକୁ ଯାଇଥିବା ଆଉ ତିନି ନେତା ଶିବାଜୀ ରାଓ ଗର୍ଜେ, ବିଜୟ ଦେଶମୁଖ ଓ ନରେନ୍ଦ୍ର ରାଣେ ଦଳରୁ ବିଦା ହୋଇଛନ୍ତି । ଏହା ସହ ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବା ଲାଗି ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କୁ ପ୍ରସ୍ତାବ ଦିଆଯାଇଛି । ବିରୋଧୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିୟା ସୋଲେ ଶରଦ ପାୱାରଙ୍କୁ ଚିଠି ଲେଖିବା ପରେ ଏନସିପି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟପଟେ ପାୱାରଙ୍କ କାର୍ଯ୍ୟାନୁଷ୍ଠାନର କିଛି ସମୟ ମଧ୍ୟରେ ପୁତୁରା ଅଜିତ ପାୱାର ଏନସିପିର ନୂଆ ଟିମ୍ ଗଢିଛନ୍ତି । ସାଂସଦ ସୁନୀଲ ତଟକରେଙ୍କୁ ମହାରାଷ୍ଟ୍ର ପ୍ରଦେଶର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସେହିପରି ଅନୀଲ ପାଟିଲଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି । ଏଥି ସହ ଅଜିତ ପାୱାର ବିଧାନସଭାରେ ଏନସିପିର ନେତା ନିର୍ବାଚିତ ହୋଇଛନ୍ତି । ତାଙ୍କ ନିର୍ଦ୍ଦେଶରେ ବିଧାୟକମାନେ କାମ କରିବେ ବୋଲି କୁହାଯାଇଛି ।