ସରିନି ‘ମହା’ନାଟକ! ମହାରାଷ୍ଟ୍ରର ମଙ୍ଗ ଧରିବାକୁ ଶରଦଙ୍କ ଦମ୍ଭୋକ୍ତି । କହିଲେ, ବିଜେପି ଭଳି ଷଡ଼ଯନ୍ତ୍ର ନୁହେଁ ଗଢ଼ିବୁ ସ୍ଥିର ସରକାର ।

1,040

କନକ ବ୍ୟୁରୋ: ମହାମୋଡ଼ ନେଉଛି ମହାରାଷ୍ଟ୍ର ନାଟକ । ସକାଳୁ ସକାଳୁ ମହାରାଷ୍ଟ୍ରର ମଙ୍ଗ ବିଜେପି-ଏନସିପି ଧରିବା ପରେ ଚାଲିଛି ଛକାପଞ୍ଝା । ଏନସିପି ବିଧାୟକଦଳ ନେତା ଅଜିତ୍ ପାୱାର ବିଜେପିରେ ମିଶିବା ପରେ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ରାତାରାତି ‘ମହା’ଅଙ୍କ ବଦଳିଯିବା ନେଇ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, ବିଜେପି ଷଡ଼ଯନ୍ତ୍ର କରି ସରକାର ଗଢ଼ିଛି । ଆଉ ଦଳ ଓ ପରିବାରକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ଅଜିତ୍ ପାୱାର । ତେଣୁ ତାଙ୍କୁ ଏନସିପି ବିଧାୟକ ଦଳ ନେତା ପଦବୀରୁ ବିଦା କରିବା ସହ ଦଳରୁ ବହିଷ୍କୃତ କରାଯାଇଛି ।

ତେବେ ଅଜିତ୍ ପାୱାରଙ୍କ ନିଷ୍ପତି ବ୍ୟକ୍ତିଗତ ଏହା ଏନସିପିର ନୁହେଁ କହି, ମହାରାଷ୍ଟ୍ରରେ ଆମେ ସରକାର ଗଢ଼ିବୁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଶରଦ । ଗତ କିଛି ଦିନ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଗଢ଼ିବାକୁ ଏନସିପି କଂଗ୍ରେସ ଓ ଶିବସେନା ତିନି ଦଳ ମିଳିତ ନିଷ୍ପତି ନେଇଥିଲେ । କିନ୍ତୁ ନିଜ ଫାଇଦା ପାଇଁ ଅଜିତ୍ ଏନସିପିକୁ ଧୋକା ଦେଇ ବିଜେପିରେ ମିଶିଗଲେ । ହେଲେ ଆମ ପାଖରେ ୧୭୦ ସଂଖ୍ୟା ରହିଛି ତେଣୁ ଆମେ ହିଁ ମହାରାଷ୍ଟ୍ରରେ ସରକାର ଗଢ଼ିବୁ । ଷଡ଼ଯନ୍ତ୍ର କରି ସରକାର ଗଢ଼ିଥିବା ବିଜେପି ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଫେଲ୍ ମାରିବ ବୋଲି କଡ଼ା ସମାଲୋଚନା କରିଛନ୍ତି ଶରଦ ।

ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ମହାରାଷ୍ଟ୍ର ଗୋଳିଆ ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି । ଆଉ ଏନସିପି ସହ ସ୍ୱର ମିଳାଇ ବିଜେପିକୁ କଟୁ ସମାଲୋଚନା କରିଛନ୍ତି ଉଦ୍ଧବ । କହିଛନ୍ତି କି, ଏନସିପି କି ଶିବସେନାର ଏଭଳି ବିଚାରଧାରା ନୁହେଁ । ସାରାଦେଶରେ ଗଣତନ୍ତ୍ରକୁ ନେଇ ଏକ ଖେଳ ଚାଲିଛି । ଯାହା ଦେଶବାସୀଙ୍କୁ ବେଶ୍ ଭଲଭାବେ ଜଣାପଡ଼ିଗଲାଣି । ବିଜେପିର ଏଭଳି ଷଡ଼ଯନ୍ତ୍ର ସରକାର କେବେ ସଫଳ ହେବ ନାହିଁ ବୋଲି କହିଛନ୍ତି ଉଦ୍ଧବ ।