କନକ ବ୍ୟୁରୋ : ପୁଣି ବିବାଦରେ ଏନସିଇଆରଟି । ମୋଗଲଙ୍କ ସମ୍ପର୍କିତ ବିଷୟ ପରେ ପାଠ୍ୟକ୍ରମରୁ ହଟିଛି ଡାରୱିନଙ୍କ ବିବର୍ତନ ତତ୍ତ୍ୱ । କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି ସାରା ଭାରତର ୧୮୦୦ରୁ ଅଧିକ ବୈଜ୍ଞାନିକ ଓ ଶିକ୍ଷାବିତ୍ ସମୂହ ଦସ୍ତଖତ କରି ଏକ ଖୋଲା ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।

Advertisment

ଏହାକୁ ଉଠାଇଦେବା ଫଳରେ ପିଲାଙ୍କ ବୈଜ୍ଞାନିକ ଚିନ୍ତନ ବାଧାପ୍ରାପ୍ତ ହେବ । ବିଜ୍ଞାନ ଓ ଇତିହାସ ପୁସ୍ତକରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଉଠାଇଦେବା ଠିକ୍ ହେଉ ନାହିଁ ବୋଲି ଚିଠିରେ ଅଭିଯୋଗ କରାଯାଇଛି । ଏହି ଚିଠିରେ ବହୁ ବିଶିଷ୍ଟ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ତଥା ବିଶିଷ୍ଟ ଶିକ୍ଷାବିତମାନେ ଦସ୍ତଖତ କରିଛନ୍ତି । କରୋନା ମହାମାରୀ ପରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ପିଲାଙ୍କ ଉପରୁ ଶିକ୍ଷାବୋଝ କମାଇବା ପାଇଁ ପାଠ୍ୟକ୍ରମରୁ କେତେକ ଅଂଶ ହ୍ରାସ କରିଛି ।

ଫଳତଃ ସେମାନେ ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟ ପୁସ୍ତକର ୯ମ ଅଧ୍ୟାୟ ‘ହେରିଡିଟି ଆଣ୍ଡ୍ ଇଭଲ୍ୟୁସନ’ ସ୍ଥାନରେ ‘ହେରିଡିଟି’ ବିଷୟ ସ୍ଥାନ ଦେଇଛି । ସେଥିରୁ ଡାରୱିନଙ୍କ ବିବର୍ତନ ତତ୍ତ୍ୱ ପ୍ରସଙ୍ଗଟି ବାଦ୍ ପଡ଼ିଛି । ଏହାକୁ ପ୍ରଥମେ ମହାମାରୀ କାରଣରୁ ପରୀକ୍ଷାରେ ପଡ଼ିବ ନାହିଁ ବୋଲି କୁହାଯାଇଥିଲା । କିନ୍ତୁ ପରେ ତାକୁ ସ୍ଥାୟୀ ଭାବେ ଉଠାଇ ଦିଆଯାଇଛି ।