ବଲିଉଡ ଡ୍ରଗ୍ସ କନେକ୍ସନ ମାମଲାରେ ଚାର୍ଜସିଟ ଦାଖଲ କଲା ଏନସିବି । ୩୦ ହଜାର ପୃଷ୍ଠାର ଚାର୍ଜସିଟରେ ୧୨ ହଜାର ପୃଷ୍ଟା ହାର୍ଡ କପି ଓ ସିଡି ।

85

କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡଗ୍ସ ମାମଲାରେ ଚାର୍ଜସିଟ ଦାଖଲ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ବଡକଥା ହେଉଛି ଏହି ମାମଲାରେ ୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏନସିବି ଏହି ଘଟଣାରେ ୧୨ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବାବେଳେ ଏଥିରେ ୨୦୦ ଜଣଙ୍କୁ ସାକ୍ଷୀ ଦର୍ଶାଇଛି ।

ସେହିପରି ଚାର୍ଜସିଟରେ ଅଭିଯୁକ୍ତଙ୍କ ତାଲିକାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀଙ୍କ ନାଁ ରହିଛି । ରିୟାଙ୍କ ସହ ତାଙ୍କ ଭାଇ ସୌଭିକଙ୍କ ସମେତ ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡା ଓ କ୍ଷିତିଜ ପ୍ରସାଦଙ୍କ ନାଁ ରହିଛି । ସେହିପରି ଏକାଧିକ ଡ୍ରଗ୍ସ ପେଡଲରଙ୍କ ନାଁ ଥିବା ଜଣାପଡିଛି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଇଡି ଖୋଳତାଡ ବେଳେ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଥିଲା । ପରେ ଏଥିରେ ଏକାଧିକ ନାମିଦାମୀ ବଲିଉଡ କଳାକାର ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ତଦନ୍ତ କରିବାକୁ ଆସିଥିଲା ଏନସିବି । ଡ୍ରଗ୍ସ ଲିଙ୍କ ନେଇ ବହୁ ବଲିଉଡ୍ କଳାକାରଙ୍କୁ ଜେରା କରିଥିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ରିୟା ଚକ୍ରବର୍ତୀଙ୍କୁୁ ଗତବର୍ଷ ସେପ୍ଟେମ୍ବରରେ ଗିରଫ କରିଥିଲା ଏନସିବି । ପ୍ରାୟ ମାସେ କାଳ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲେ ରିୟା । ରିୟାଙ୍କ ଭାଇ ସୌଭିକ ମଧ୍ୟ ଗିରଫ ହୋଇଥିଲେ । ଏହାସହ ବହୁ ବଲିଉଡ୍ ସେଲିବ୍ରିଟି ଏନସିବି ଅଫିସରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ଖାଲି ସେତିକି ନୁହେଁ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂଙ୍କୁ ମଧ୍ୟ ଡାକି ପଚରାଉଚରା କରିଥିଲା ଏନସିବି ।

ଗତବର୍ଷ ଜୁନ୍ ୪ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ଫ୍ଲାଟରୁ ମିଳିଥିଲା । ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କୁହାଗଲା । ପରେ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରଥମେ ମୁମ୍ବାଇ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ହେଲେ ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା । ସେହି ସମୟରେ ସୁଶାନ୍ତଙ୍କ ଆକାଉଂଟରେ ଟଙ୍କା ଟ୍ରାନ୍ସଫର ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଖୋଳତାଡ଼ ବେଳେ ଡ୍ରଗ୍ସ କଥା ସାମ୍ନାକୁ ଆସିବା ପରେ ଏନସିବି ତଦନ୍ତ ଆରମ୍ଭ କରିଥିଲା । ତେଣୁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତିନିଟି ତଦନ୍ତକାରୀ ସଂସ୍ଥା ଏକ ସଙ୍ଗେ ତଦନ୍ତ ଚଳାଇଥିଲେ ।